ଚଉଠି ବନ୍ଦ କଲା ଚାଇଲ୍ଡ ଲାଇନ: ୧୯ବର୍ଷିୟ ଅମରଜିତଙ୍କୁ ବିବାହ କରିଥିଲେ ୧୬ବର୍ଷର ଝିଅ

1,927

କନକ ବ୍ୟୁରୋ: ଚଉଠି ବନ୍ଦ କଲା ଚାଇଲ୍ଡ ଲାଇନ୍ । ସୋର ପୌରପାଳିକା କମାଣପୁର ଗାଁର ଜଣେ ନାବାଳିକାଙ୍କର ବାହାଘର ହୋଇଥିବା ନେଇ ଖବର ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ଚଢାଉ କରାଯାଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ କମାଣପୁର ଗାଁର ଅମରଜିତ କରଣଙ୍କ ସହିତ ସୋର ବ୍ଲକର ଜଣେ ୧୬ ବର୍ଷିୟ ନାବାଳିକଙ୍କର କୁଶଳେଶ୍ୱର ମନ୍ଦିରରେ ବାହାଘର ହୋଇଥିଲା । ଏନେଇ ଟେଲ ଫ୍ରି ନମ୍ବର ୧୦୯୮କୁ ଅଭିଯୋଗ ହୋଇଥିଲା । ଖଇରା ଚାଇଲ୍ଡ ଲାଇନ ଓ ସୋର ପୋଲିସ ସହାୟତାରେ ଅମରଜିତଙ୍କ ଘରେ ଚଢଉ କରି ନାବାଳିକାଙ୍କୁ ଉଦ୍ଧାର କରି ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡ଼ିଛି । ସୂଚନା ମୁତାବିକ ପୂର୍ବରୁ ଅମରଜିତ୍ ନାବାଳିକା ଜଣଙ୍କୁ ଅପହରଣ କରିନେଇଥିଲେ । ସୋର ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ନାବାଳିକା ସହ ଅମରଜିତଙ୍କୁ ଥାନାକୁ ଆଣିଥିଲା । ବୟସ ହେଲେ ଉଭୟ ବିବାହ କରିବେ ବୋଲି ସ୍ଥିର କରଯାଇଥିଲା । କିନ୍ତୁ ପରବର୍ତି ସମୟରେ ନାବାଳିକଙ୍କ ସହ ସମ୍ପୃକ୍ତ ଯୁବକଙ୍କ ବିବାହ ହେଉଥିବା ନେଇ ଖବର ପାଇବା ପରେ ପୋଲିସ ଓ ଚାଇଲ୍ଡ ଲାଇନ ପକ୍ଷରୁ ଚଢଉ କରି ନାବାଳିକଙ୍କୁ ଉଦ୍ଧାର କରାଯାଇଛି ।