ଓଡ଼ିଶାର ୧୯ଟି ନଦୀ ପ୍ରଦୂଷିତ : ଲୋକସଭାରେ ଉତ୍ତର ରଖିଲେ ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ

236

କନକ ବ୍ୟୁରୋ : ଓଡ଼ିଶାର ମୋଟ୍ ୧୯ଟି ନଦୀ ପ୍ରଦୂଷିତ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରିପୋର୍ଟ ଅନୁସାରେ ମହାନଦୀ, କାଠଯୋଡି, ବ୍ରାହ୍ମଣୀ, ଦୟା, ଗଙ୍ଗୁଆ, ମଙ୍ଗଳା, ବୁଢାବଳଙ୍ଗ, କୁସୁମି. ନାଗାବଳୀ, ଭେଡେନ୍ ଆଦି ନଦୀରେ ପ୍ରଦୂଷଣ ଅଧିକ । ଏକ ପ୍ରଶ୍ନର ଉତରରେ ଲୋକସଭାରେ ଏହା କହିଛନ୍ତି ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ।

ନଦୀରେ ପ୍ରଦୂଷଣ ବୃଦ୍ଧି ହେବାର ମୁଖ୍ୟ କାରଣ କ’ଣ ଓ ଏହାର ପ୍ରତିକାର ପାଇଁ ସରକାର ଗତ ଦୁଇ ବର୍ଷ ମଧ୍ୟରେ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ ସାଂସଦ ନିହାଲ ଚାନ୍ଦ । ଏହାର ଉତ୍ତର ରଖିଥିଲେ ବିଭାଗୀୟ ମନ୍ତ୍ରୀ । ମନ୍ତ୍ରୀ କହିଥିଲେ, ସହରାଂଚଳରୁ ଆସୁଥିବା ଅଳିଆ, ନଦୀ କୂଳରେ କଠିନ ବସ୍ତୁ ପକାଇବା ଦ୍ୱାରା ନଦୀ ପ୍ରଦୂଷିତ ହେଉଛି । ନଦୀ ଗୁଡିକର ସଫା ଓ ନବୀକରଣ ପକ୍ରିୟା ରାଜ୍ୟର ଦାୟିତ୍ୱ । ଦେଶରେ ଚିହ୍ନିତ ଦୂଷିତ ନଦୀଗୁଡିକର ପ୍ରଦୂଷଣକୁ ଦୂର କରିବା ପାଇଁ ଆର୍ଥିକ ଓ ବୈଷୟିକ ସହାୟତା ପ୍ରଦାନ କରାଯାଉଛି ।

ନମାମୀ ଗଙ୍ଗା ଓ ଜାତୀୟ ନଦୀ ସଂରକ୍ଷଣ ଯୋଜନା ରହିଛି । ୨୦୨୦-୨୧ରେ ଜାତୀୟ ନଦୀ ସଂରକ୍ଷଣ ଯୋଜନା ପାଇଁ ୯୯.୮୭ କୋଟି ଓ ନମାମୀ ଗଙ୍ଗା ପାଇଁ ୧୩ ଶହ ୩୯. ୯୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ ୫୩ଟି ନଦୀ ପ୍ରଦୂଷିତ । ସେହିପରି ମଧ୍ୟପ୍ରଦେଶରେ ୨୨ ଓ କେରଳର ୨୧ଟି ନଦୀ ପ୍ରଦୂଷିତ ।