ମୋଦି ସରକାର ବିରୋଧରେ ଏକଜୁଟ ହେଲେ ବିରୋଧୀ । ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ ଦେଲେ ୧୯ଟି ଦଳ, ୨୦୨୪ ସାଧାରଣ ନିର୍ବାଚନ ନେଇ ଆଲୋଚନା ।

286

କନକ ବ୍ୟୁରୋ : ବିଜେପି ସରକାର ବିରୋଧରେ ମେଳି ବାନ୍ଧିଲେ ବିରୋଧୀ । ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ୧୯ଟି ବିରୋଧୀ ଦଳଙ୍କୁ ନେଇ ଅନୁଷ୍ଠିତ ହୋଇଛି ବୈଠକ । ଯେଉଁଥିରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସରକାରଙ୍କୁ କିପରି ଟକ୍କର ଦିଆଯିବ ସେନେଇ ଆଲୋଚନା କରାଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏକଜୁଟ ହେଉଛନ୍ତି ବିରୋଧୀ । ଶୁକ୍ରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ଏହି ବୈଠକ ବସିଛି । ସଂସଦ ଅଚଳ ହେବା ପରେ ପ୍ରଥମକରି ସବୁ ବିରୋଧୀ ଏକାଠି ହୋଇଛନ୍ତି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଟିଏମସି, ଆରଜେଡି, ଶିବସେନା, ଡିଏମକେ ସମେତ ୧୯ଟି ରାଜନୈତିକ ଦଳ ଯୋଗ ଦେଇଛନ୍ତି ।

ଟିଏମସି ଅଧ୍ୟକ୍ଷା ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ବୈଠକରେ ଯୋଗ ଦେଇଛନ୍ତି । ବୈଠକରେ ସୋନିଆ କହିଛନ୍ତି, “ବିଜେପି ବିରୋଧରେ ବିରୋଧୀ ଏକଜୁଟ ହୁଅନ୍ତୁ । ସରକାରଙ୍କ ଜିଦ୍ଦି ମନଭାବ ପାଇଁ ସଂସଦରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ୨୦୨୪ ସାଧାରଣ ନିର୍ବାଚନ ପାଇଁ ରଣନୀତି ତିଆରି କରିବାକୁ ପଡିବ ଏବଂ ବିରୋଧିଙ୍କୁ ଏକାଠି ହେବାର ଆବଶ୍ୟକତା ଅଛି ।”

୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ପ୍ରୟାସ ଚଳାଇଛି ବିରୋଧୀ । ପେଗାସସ୍ ପ୍ରସଙ୍ଗ, ପେଟ୍ରୋଲ-ଡିଜେଲର ଦର ବୃଦ୍ଧି, କୃଷି ଆଇନ ଓ କରୋନା ୨ୟ ପର୍ଯ୍ୟାୟରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଭଳି ବଡ ବଡ ପ୍ରସଙ୍ଗ ରହିଛି ବିରୋଧୀଙ୍କ ହାତରେ । ସେଥିପାଇଁ ସଂସଦ ବି ଚାଲି ପାରିନଥିଲା । ଏବେ ବିରୋଧୀ ଲୋକମତ ସୃଷ୍ଟି କରିବା ପାଇଁ ନୂଆ ରଣନୀତି ଆପଣାଇବ । ତେବେ ବୈଠକରେ ଆମ ଆଦମି ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ସମାଜବାଦୀ ପାର୍ଟି ଯୋଗ ଦେଇନଥିଲେ ।