ଦଲାଲ ପଛରେ ପୁଲିସ: ରାଜ୍ୟର ବିଭିନ୍ନ ଡାକ୍ତରଖାନା ଓ ଆରଟିଓ ଅଫିସରେ ଚଢାଉ; ଡିଜି କହିଲେ, ସକାଳୁ ଏପର୍ଯ୍ୟନ୍ତ ଗିରଫ ହେଲେଣି ୧୭ ଦଲାଲ
ଗତକାଲି ଗିରଫ ହୋଇଥିଲେ ୩୦ ଜଣ
କନକ ବ୍ୟୁରୋ: ମେଡିକାଲ ଓ ଆରଟିଓକୁ ଦଲାଲମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଆକ୍ସନ ମୁଡରେ ପୋଲିସ୍ । ଆଜି ପୁଣି ରାଜ୍ୟର ବିଭିନ୍ନ ଅଫିସରେ ଚଢ଼ାଉ କରିଛି ଦଲାଲଙ୍କୁ ଗିରଫ କରିଛି ପୋଲିସ । ତେବେ ବର୍ତ୍ତମାନ ସୁଦ୍ଧା ୧୭ ଜଣ ଦଲାଲଙ୍କୁ ଗିରଫ କରିଛି ପୁଲିସ୍ । ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ ଅଫିସରୁ ଏହି ଦଲାଲମାନଙ୍କୁ ଗିରଫ କରିଛି ପୁଲିସ୍ । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରୁ ୩ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ବେଳେ ଆରଟିଓରୁ ୩ ଜଣ ଦଲାଲକୁ ବାନ୍ଧିଛି ପୁଲିସ୍ । ସେହିଭଳି ବାରିପଦା ମେଡିକାଲରୁ ୩ ଏବଂ ଅନୁଗୁଳ ମେଡିକାଲରୁ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆରଟିଓ ଅଫିସରୁ ୨ ଏବଂ ଭବାନୀପାଟଣା ମେଡିକାଲରୁ ୨ ଜଣ ଦଲାଲଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ପୁଲିସ୍ ଡିଜି ବି.କେ ଶର୍ମା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗତକାଲି ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା । ଭୁବନେଶ୍ୱରରେ ୪ ଜଣ, ସମ୍ବଲପୁରେ ୫ଜଣ , ବଲାଙ୍ଗୀର ୫ଜଣ, ଭଦ୍ରକରେ ୪, ମୟୁରଭଞ୍ଜରେ ୩, ରାଉରକେଲାରେ ୪ ଜଣ, ବାଲେଶ୍ୱରରେ ୩ ଜଣ ଏବଂ ନବରଙ୍ଗପୁରରେ ୨ ଜଣ ଦଲାଲ୍ଙ୍କୁ ଗିରଫ କରାଯାଇଥିଲା । ଡିଜି ପୁଲିସଙ୍କ ନେତୃତ୍ୱରେ ଏହି ଚଢ଼ାଉ ଜାରି ରହିଛି । ଦଲାଲଙ୍କ ଦ୍ୱାରା ସାଧାରଣ ରୋଗୀଙ୍କୁ ଠକାଯାଉଛି । ତେଣୁ ପ୍ରତିଦିନ ହସ୍ପିଟାଲରୁ ରିପୋର୍ଟ ନିଆଯିବ ଦଲାଲଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ପୁଲିସ ପରେ ଏବେ ଡାକ୍ତରଖାନା ଉପରେ ନଜର ରଖାଯାଇଛି । ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବାକୁ ଥିବା ମୋ ସରକାର ଯୋଜନା ପୂର୍ବରୁ ଏଭଳି ପଦକ୍ଷେପ ନିଆଯାଇଛି ।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଲୋକସେବା ଭବନରୁ ଭିଡିଓ କନଫରେନସିଂ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ଏସପି ଓ ଆରଟିଓମାନଙ୍କ ସହ ନୂଆ ଟ୍ରାଫିକ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଆଲୋଚନା କାଳରେ ଆରଟିଓ ଅଫିସଗୁଡ଼ିକୁ ଦଲାଲମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଦ୍ରୁତ ତଥା ବିପଦପୂର୍ଣ୍ଣ ଭାବରେ ଗାଡି ଚାଳନା କରୁଥିବା, ନିଶାଦ୍ରବ୍ୟ ସେବନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।