ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ । ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ 

99

କନକ ବ୍ୟୁରୋ: ବଜେଟ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବିରୋଧୀ । କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ମିଳିତ ପ୍ରେସ ବିବୃତି ଜାରି କରିଛନ୍ତି । ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଆସନ୍ତାକାଲି ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ । ତିନି ନୂଆ କୃଷି ଆଇନକୁ ସଂସଦରେ ବିନା ବିତର୍କ ଓ ଭୋଟିଂ ନକରି ବଳପୂର୍ବକ ପାରିତ କରାଯାଇଥିବାରୁ ବିରୋଧୀ ଦଳ ଏହି ବଡ ନିଷ୍ପତି ନେଇଥିବା କୁହାଯାଉଛି ।

କଂଗ୍ରେସ, ଏନସିପି, ନେସନାଲ କନଫରେନ୍ସ, ଡିଏମକେ, ଟିଏମସି, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇଏମ ଆଦି ୧୬ଟି ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ବୋଲି ଘୋଷଣା କରିଛନ୍ତି । ଆସନ୍ତାକାଲିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହେଉଛି । ପରମ୍ପରା ଅନୁସାରେ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ । ଆସନ୍ତାକାଲି ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ସରକାରଙ୍କ ଭାବି ଯୋଜନାର ରୁପରେଖ ବାବଦରେ ସୂଚନା ଦେବେ । ପ୍ରଥମ ଥର ପାଇଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ସମୟରେ ସବୁ ସାଂସଦ, ସଂସଦର ସେଂଟ୍ରାଲ ହଲ ଛଡା ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ବସିବେ । ସେପଟେ ବଜେଟ ଅଧିବେଶନରେ କୃଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇବେ ବୋଲି ବିରୋଧୀ କହିଛନ୍ତି ।