ପୁଣି ଲେଉଟିଲା କରୋନା ଲକଡାଉନ : ମହାରାଷ୍ଟ୍ରର ୮ ଜିଲ୍ଲାରେ ତାଲାବନ୍ଦ; ମହାରାଷ୍ଟ୍ରର ସ୍କୁଲ ଓ ହଷ୍ଟେଲ ଗୁଡ଼ିକରେ ଉଦବେଗଜନକ ଭାବେ ବଢ଼ୁଛି ସଂକ୍ରମଣ

382

କନକ ବ୍ୟୁରୋ : ମହାରାଷ୍ଟ୍ରରେ ସଂକ୍ରମଣ ଉପରମୁହାଁ ରହିଛି । ସଂକ୍ରମଣ ବଢ଼ୁଥିବା ଜିଲ୍ଲାମାନଙ୍କରେ କଡ଼ାକଡ଼ି ଲକ ଡାଉନ ପାଳନ ପାଇଁ ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର । ରାଜ୍ୟର ୮ ଜିଲ୍ଲାରେ ସଂକ୍ରମଣ ଲଗାତର ବଢ଼ୁଥିବାରୁ ଲକଡାଉନ ଲାଗୁ ହୋଇଛି । ଗତ ୨୪ ଘଂଟା ମଧ୍ୟରେ ପୁଣି ମହାରାଷ୍ଟ୍ରରେ ୧୫ ହଜାର ୮୨୩ ମାମଲା ଚିହ୍ନଟ ହୋଇଛି । ସରକାର ଏହି ଜିଲ୍ଲାମାନଙ୍କରେ କୋଭିଡ ନିୟମ କଡାକଡି କରିଛନ୍ତି ।

ପୁନେରେ ରାତି ୧୧ରୁ ସକାଳ ୬ଟା ନାଇଟ୍ କର୍ଫ୍ୟୁ ଜାରି ହୋଇଥିବା ବେଳେ ଅକୋଲାରେ କଡାକଡ଼ି ଲକଡାଉନ ପାଳନ ହେଉଛି । ଅକୋଲାରେ ଗତକାଲି ସଂଧ୍ୟା ୮ଟାରୁ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ଲକଡାଉନ ଜାରି କରାଯାଇଛି । ମାର୍ଚ୍ଚ ୧୨ରୁ ୨୨ ପର୍ଯ୍ୟନ୍ତ ପାନଭେଲରେ ନାଇଟ କଫ୍ୟୁ ଜାରି ହେବ । ସେହିପରି ପାରଭଣି ଜିଲ୍ଲାରେ ଗତକାଲି ରାତି ୧୨ଟାରୁ ଆସନ୍ତା ଗୁରୁବାର ସକାଳ ୬ଟା ପର୍ଯ୍ୟନ୍ତ ଲକ୍ଡାଉନ ଜାରି ହୋଇଛି ।

ସେହି ଜିଲ୍ଲାମାନଙ୍କରେ ସ୍କୁଲ, କଲେଜ ବନ୍ଦ ରହିଛି । ଗତକାଲି ନାଗପୁରରେ ଲକ୍ଡାଉନ ଜାରି ହୋଇଥିବା ବେଳେ ପୂର୍ବରୁ ଅମରାବତୀରେ ଲକଡାଉନ ଜାରି ହୋଇଥିଲା । ଏହାରି ଭିତରେ ପଲଭରି ଜିଲ୍ଲାର ଏକ ଆଦିବାସୀ ସ୍କୁଲରେ ୪୪ ଛାତ୍ର ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ସଙ୍ଗରୋଧରେ ରଖାଯାଇଛି । ମୁମ୍ବାଇରେ ଗତ ୨ମାସ ଭିତରେ ସଂକ୍ରମଣ ମାମଲା ଆସିଛି ସେଥିରୁ ୯୦ ପ୍ରତିଶତ ଆପାର୍ଟମେଂଟ ବିଲ୍ଡିଂରୁ ଚିହ୍ନଟ ହୋଇଛି । କେବଳ ୧୦ ପ୍ରତିଶତ ମାମଲା ବସ୍ତିରୁ ଚିହ୍ନଟ ହୋଇଥିବା ସୂଚନା ରହିଛି ।