ସୁରକ୍ଷାବାହିନୀକୁ ବଡ ସଫଳତା । ମାଓବାଦୀଙ୍କ ଆଡ୍ଡା ଉପରେ ହେଲା ଅତର୍କିତ ଆକ୍ରମଣ, ଏକାଥରକେ ୧୫ ନକ୍ସଲ ନିପାତ । ଜାଣନ୍ତୁ କେମିତି ଥିଲା ପୂରା ଅପରେସନ

33

କନକ ବ୍ୟୁରୋ : ମୌସୁମୀରେ ସୁରକ୍ଷାକର୍ମୀଙ୍କ ଅପରେସନ କୋହଳ ଥିବା ଅନୁଭବ କରି ଛତିଶଗଡ ସୁକମାରେ ଚାଲିଥିବା ମାଓବାଦୀଙ୍କ ଶିବିର ଉପରେ ଅତର୍କିତ ଆକ୍ରମଣ । ସହିଦ ସପ୍ତାହ ପାଳନ ଅବସରରେ ନୂଆ କ୍ୟାଡରଙ୍କ ନିଯୁକ୍ତି ଓ ଆଗାମୀ ଅଗଷ୍ଟ ୧୫କୁ କଳା ଦିବସ ଭାବେ ପାଳନ କରିବାକୁ ପ୍ରସ୍ତୁତ ହେଉଥିଲା ବ୍ଲୁ-ପ୍ରିଂଟ । ହେଲେ ଚାରିପଟୁ ଅତର୍କିତ ଆକ୍ରମଣ କରିଥିଲେ ୨୦୦ରୁ ଅଧିକ ସୁରକ୍ଷାକର୍ମୀ । ଏଭଳି ଅଚାନକ ହମଲା ପାଇଁ ପ୍ରସ୍ତୁତ ନଥିବା ନକ୍ସଲ ବାହିନୀ ପୋଲିସର ରଣକୌଶଳ ଆଗରେ ଫେଲ ମାରିଛି । ଆଉ ପୋଲିସ ଗୁଳିରେ ଟଳିପଡିଛନ୍ତି ୧୫ ମାଓବାଦୀ । ଏପରକି ୫ଲକ୍ଷ ଟଙ୍କା ପୁରସ୍କାର ଥିବା ଜଣେ କ୍ୟାଡର ମାଓବାଦୀକୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଜଣେ ମହିଳା ମାଓବାଦୀ ମଧ୍ୟ ଆହତ ହୋଇଛନ୍ତି । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାରେ ମାଓ ବିରୋଧୀ ଅଭିଯାନକୁ ମିଳିଛି ସବୁଠୁ ବଡ ସଫଳତା ।

ମାଲକାନଗିରି ସମୀନ୍ତ ଛତିଶଗଡ ସୁକମାରେ ନକ୍ସଲ ବିରୋଧୀ ଅଭିଯାନକୁ ବଡ ସଫଳତା ମିଳିଛି । କାରଣ ଛତିଶଗଡ ଇତିହାସରେ ପ୍ରଥମଥର ଲାଗି ଗୋଟିଏ ଅପରେସନରେ ୧୫ ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଆଦିବାସୀ ଅଧୁଷିତ ବସ୍ତର ଅଂଚଳର ଗୋଲ୍ଲାପାଲ୍ଲି ଓ କୋଂଟା ମଧ୍ୟବର୍ତି ଅଂଚଳରେ ଥିବା ଜଙ୍ଗଲରେ ଗତକାଲି ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିଲା ବଡଧରଣର ଅପରେସନ୍ । ନିର୍ଦ୍ଦିଷ୍ଟ ଅଂଚଳରେ ବହୁ ସଂଖ୍ୟାରେ ନକ୍ସଲ ଲୁଚିରହିଥିବା ଗୁଇନ୍ଦା ସୂଚନା ଆଧାରରେ ମିଳିତ ଭାବରେ ଅପରେସନ ଆରମ୍ଭ କରିଥିଲେ ସିଆରପିଏଫ, କୋବ୍ରା ବାହିନୀ, ଡିଷ୍ଟ୍ରିକ୍ଟ ରିଜର୍ଭ ଗାର୍ଡ ଓ ସ୍ପେଶାଲ ଟାସ୍କଫୋର୍ସ । ଚାରିପଟୁ ଅତର୍କିତ ଭାବେ ମିଳିତ ଆକ୍ରମଣ ଫଳରେ ପୋଲିସକୁ ଏତେବଡ ସଫଳତା ମିଳିଥିବା କହିଛନ୍ତି ଛତିଶଗଡ ନକ୍ସଲ ବିରୋଧୀ ଅଭିଯାନର ସ୍ୱତନ୍ତ୍ର ଡିଜି ଡି.ଏମ. ଅବସ୍ଥି ।

ଏକ ସୁଚିନ୍ତିତ ରଣନୀତି ଆଧାରରେ ମୌସୁମୀ ସମୟରେ ହିଁ ନକ୍ସଲ ବିରୋଧୀ ଅଭିଯାନକୁ ଜୋରଦାର କରିଛି ସୁରକ୍ଷା ବାହିନୀ । କାରଣ ଏହି ସମୟରେ ନଦୀଗୁଡିକରେ ବନ୍ୟାପାଣି ଆସିଯିବାରୁ ଜଙ୍ଗଲରେ ଚଳପ୍ରଚଳ କରିବା ଲାଲ ବାହିନୀ ପାଇଁ ସହଜ ହୋଇନଥାଏ । ତେଣୁ ମାଓବାଦୀଙ୍କ ସହିଦ ସପ୍ତାହ ଶେଷ ହେଉହେଉ ଗୁଇନ୍ଦା ସୂଚନା ପାଇ ଅତର୍କିତ କମ୍ବିଂ କରିଥିଲେ ସୁରକ୍ଷାକର୍ମୀ । ପ୍ରଥମେ ଜଙ୍ଗଲ ଭିତରେ ଥିବା ନାଲକାଂଟୋଙ୍ଗ ଗାଁରେ ମାଓବାଦୀଙ୍କ କ୍ୟାମ୍ପକୁ ଠାବ କରାଯାଇଥିଲା । ପରେ ପୂର୍ଣ୍ଣ ପ୍ରସ୍ତୁତି ଶହ ଶତାଧିକ ସୁରକ୍ଷାକର୍ମୀ ବଡଧରଣ ଅପରେସନ ଆରମ୍ଭ କରିଥିଲେ ।

ଅପରେସନସ୍ଥଳରୁ ୧୫ ମାଓବାଦୀଙ୍କ ମୃତଦେହ ଜବତ ହୋଇଛି । ଏମାନଙ୍କ ଭିତରେ ମାଓବାଦୀଙ୍କ ପ୍ଲାଟୁନ କମାଣ୍ଡୋ ଭଞ୍ଜମ ହଙ୍ଗାର ମୃତଦେହ ବି ରହିଛି । ସବୁଠାରୁ ବଡକଥା ହେଉଛି ଏହାପରେ ଆରମ୍ଭ ହୋଇଥିବା ସର୍ଚ୍ଚ ଅପରେସନବେଳେ ୫ଲକ୍ଷ ଟଙ୍କା ପୁରସ୍କାର ଥିବା ମାଓନେତା ଦେବା ସହ ଜଣେ କ୍ୟାଡର ମହିଳା ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ଏଥିସହ ଘଟଣାସ୍ଥଳରୁ-
– ୧୬ଟି ଅସ୍ତ୍ରଶସ୍ତ୍ର ଜବତ ହୋଇଛି
– ଏହା ଭିତରେ ୩ଟି ଅଟୋମେଟିକ ଗନ୍
– ୨ଟି ଦେଶୀ ବନ୍ଧୁକ
– ୧୨ଟି ରାଇଫଲ
– ୪ଟି ଆଇଇଡି
– ବିପୁଳ ପରିମାଣର ଗୋଳାବାରୁଦ ଜବତ

ମାଓବାଦୀମାନେ ସହିଦ ସପ୍ତାହରେ ପୋଷ୍ଟର ଜାରି କରି ଗତ ୨ବର୍ଷରେ ସୁରକ୍ଷାକର୍ମୀଙ୍କ ଏନକାଉଂଟରରେ ୨୪୭ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଥିଲେ । ଗତ ଜୁଲାଇରେ ଛତିଶଗଡ ରାଜନନ୍ଦଗାଓଁରେ ଆଇଟିବିପି ଓ ଛତିଶଗଡ ପୋଲିସର ମିଳିତ ଏନକାଉଂଟରରେ ୫ଲକ୍ଷ ଟଙ୍କା ପୁରସ୍କାର ଥିବା ମହିଳା ମାଓନେତ୍ରୀ ଜରିନାର ମୃତ୍ୟୁ ହୋଇଥିଲା ।