କନକ ବ୍ୟୁରୋ : ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବଡ ଅଘଟଣ । ଶନିବାର ରାତିରେ ହାଲୋୱିନ ପାର୍ଟି ପାଳନ ବେଳେ ଦଳାଚକଟା ହୋଇଛି । ଆଉ ଏହି ଧାଁ ଦୌଡ ଭିତରେ କିିଛି ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି । ଶେଷ ଖବର ସୁଦ୍ଧା ମୋଟ୍ ୧୪୯ ଜଣଙ୍କର ମୃତ୍ୟୁ ଘଟିଛି । ୫୦ରୁ ଅଧିକ ଶ୍ୱାସରୁଦ୍ଧରୁ ପ୍ରାଣ ହରାଇଛନ୍ତି । ପ୍ରାୟ ୧୫୦ ଗୁରୁତର ହୋଇପଡିଥିବା ସୂଚନା ରହିଛି । ଏହି ସଂଖ୍ୟା ଆଗକୁ ଆହୁରି ବଢିପାରେ ।
ଦୃଶ୍ୟଟି ଥିବା କିଛି ଏହିପରି, ଦଳଚକଟା ପରେ କିଛି ଲୋକ ରାସ୍ତା ଉପରେ ଛିଡା ହୋଇଥିଲେ ତ ଆଉ କେହି ତଳେ ପଡିରହିଥିଲେ । ପ୍ରାୟ ୪୦୦ କର୍ମଚାରୀ ଗୁରୁତରମାନଙ୍କୁ ଉଦ୍ଧାର କରିବା କାମରେ ନିୟୋଜିତ ହୋଇଥିଲେ । ସିଓଲର ୟଙ୍ଗସାନ ଅଗ୍ନିଶମ ବିଭାଗର ମୁଖ୍ୟ ଚୋଇ ସେଙ୍ଗ ବମ କହିଛନ୍ତି ଯେ, ସିଓଲର ରାଜରାସ୍ତାରେ ଏହି ପାର୍ଟିକୁ ସ୍ୱାଗତ କରିବା ପାଇଁ ଲୋକେ ଧାଡିରେ ଆସୁଥିଲେ । ତେବେ ହାମିଲଟନ ହୋଟେଲ ନିକଟରେ ଲୋକ ପହଂଚିବା ପରେ ଗହଳି ବଢ଼ିବା ସହିତ ରାସ୍ତା ସଂକୀର୍ଣ୍ଣ ଥିବାରୁ ଦଳାଚକଟା ହୋଇଯାଇଥିଲା । ଫଳରେ ଅନେକ ଲୋକ ତଳେ ପଡିଯାଇଥିଲେ । ପରେ ସେମାନେ ମୃତ ବୋଲି ଜଣାପଡିଥିଲା । ଦକ୍ଷିଣ କୋରିଆର ରାଷ୍ଟ୍ରପତି ୟୁନ ସୁକ ଇଓଲ ଘଟଣାରେ ଦୁଃଖ ପ୍ରକାଶ କରି କିଭଳି ନିରାପଦରେ ପାଳନ କରାଯିବ ଓ ଗୁରୁତରମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେଠିକାର ଗଣମାଧ୍ୟମ ପକ୍ଷରୁ କୁହାଯାଇଛି ଯେ, ଇଟାଓନ ଷ୍ଟ୍ରିଟରେ ଉକ୍ତ ପାର୍ଟି ପାଳନ ଅବସରରେ ରାଲିରେ ପ୍ରାୟ ୧ ଲକ୍ଷ ଲୋକ ଆସୁଥିଲେ । ଅଧିକ ଗହଳି ଯୋଗୁ ଦଳାଚକଟା ସହ ନିଶ୍ୱାସପ୍ରଶ୍ୱାସ ନେବାରେ ଅସୁବିଧାରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । କୋଭିଡ୍ ପାଇଁ ହାଲୋୱିନ ପାର୍ଟି ଦୁଇ ବର୍ଷ ହେବ ବନ୍ଦ ରହିଥିଲା । ଆଉ ଏବେ ଦୁଇ ବର୍ଷ ପରେ କୌଣସି କଟକଣା ନଥାଇ ହାଲୋୱିନ ପାର୍ଟିର ଆୟୋଜନ ହୋଇଥିଲା ।
ଦକ୍ଷିଣ କୋରିଆରେ ବଡ ଅଘଟଣ । ହାଲୋୱିନ ପାର୍ଟି ପାଳନ ବେଳେ ଦଳଚକଟାରେ ୧୪୯ ଜଣଙ୍କ ମୃତ୍ୟୁ, ଶତାଧିକ ଆହତ
/kanak/media/post_attachments/wp-content/uploads/2022/10/south-korea-at-least-149-dead-over-100-injured-in-stampede-during-halloween-festivities-in-seoul.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)