ରାଜ୍ୟରେ ଚିନ୍ତା ବଢାଇଲା ଓମିକ୍ରନ, ଗୋଟିଏ ଦିନରେ ୧୪୫ ସଂକ୍ରମିତ ଚିହ୍ନଟ

118

କନକ ବ୍ୟୁରୋ : ବଢୁଥିବା କରୋନା ସଂକ୍ରମଣ ଭିତରେ ରାଜ୍ୟରେ ପୁଣି ୧୪୫ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୪୭ କୁ ବୃଦ୍ଧି ପାଇଛି । ଜାନୁଆରୀ ୯ ତାରିଖରୁ ୧୬ ତାରିଖ ମଧ୍ୟରେ ସଂଗୃହିତ ନମୂନାରୁ ଜିନୋମ ସ୍ୱକେନ୍ସିଂ ପରେ ଏଥିରୁ ୧୪୫ ଜଣଙ୍କ ନମୂନାରେ ଓମିକ୍ରନ ଭୂତାଣୁ ଥିବା କଥା ଜଣାପଡିଛି ।

ଓଡିଶାରେ ଏହା ସର୍ବାଧିକ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ଏହା ପୂର୍ବରୁ ଜାନୁଆରୀ ୧୨ ତାରିଖରେ ୬୭ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିଲେ । କହିରଖୁ କି କରୋନା ସଂକ୍ରମଣ ଭିତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଏବେ ବିପଦ ଦେଖାଦେଇଛି । ଏହି କ୍ରମରେ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବାକୁ ନାଇଟ୍ କର୍ଫ୍ୟୁ, କଣ୍ଟେନମେଣ୍ଟ ଜୋନ ଭଳି କଟକଣା ଲଗାଇଥିଲେ ବି କରୋନା ସଂକ୍ରମଣ ଥମିବାରେ ନାଁ ନେଉନି । କିଛିଦିନ ହେବ ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଉପରେ ରହିଛି ।