୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ: ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

130

କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟିର ଏହି କାର୍ୟ୍ୟକ୍ରମରେ ପ୍ରଥମ ପର୍ୟ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ସ୍କୁଲର ରୂପାନ୍ତର କାର୍ୟ୍ୟ ଶେଷ ହୋଇଛି। ସାତ ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନରେ ଆଜି ସୁନ୍ଦରଗଡ, କଟକ, ନବରଙ୍ଗପୁର, କନ୍ଧମାଳ ଓ ବାଲେଶ୍ବର ଆଦି ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତର ସ୍କୁଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପିତ କରିଛନ୍ତି।

ପୂର୍ବରୁ ଗତ ଅଗଷ୍ଟରେ ହିଞ୍ଜିଳିର ପଚାଶଟି ରୂପାନ୍ତରିତ  ସ୍କୁଲକୁ  ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ । ଏଥିରେ ସୁନ୍ଦରଗଡର ୬୭ଟି, କଟକର ୩୦ଟି, ବାଲେଶ୍ବରର ୨୩ଟି, ନବରଙ୍ଗପୁରର ୨୨ଟି ଓ କନ୍ଧମାଳର ୧୦ଟି ସ୍କୁଲ ରହିଛି ।

ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍କୁଲରେ ତିଆରି ହୁଏ ଦେଶର ଭବିଷ୍ୟତ। ଜାତିର ଭବିଷ୍ୟତ । କଥାରେ ଅଛି, ପିଲାମାନେ ଆମ ଜନସଂଖ୍ୟାରେ ଏକ ତୃତୀୟାଂଶ ହେଲେ ବି ସେମାନେ ଆମର ପୁରା ଭବିଷ୍ୟତ । ସ୍କୁଲ ସମୟ ପିଲାମାନଙ୍କ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସମୟ ବୋଲି ମତଦେଇ ସେ କହିଥିଲେ ଯେ ଏ ସମୟରେ ପିଲାମାନଙ୍କୁ ସେମାନଙ୍କର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବା ଆମର ଦାୟିତ୍ବ।

ମୁଖ୍ୟମନ୍ତ୍ରୀ କହିଲେ, “ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ। ପାଠ ସହ କ୍ରୀଡା, ସଂଗୀତ ସବୁ କ୍ଷେତ୍ରରେ ଓଡିଶାର ଗୌରବ ବଢାନ୍ତୁ । ନୂଆ ନୂଆ ଟେକ୍ନଲୋଜୀ ବିଷୟରେ ଜାଣନ୍ତୁ । ବଡ ବଡ ସ୍ବପ୍ନ ଦେଖନ୍ତୁ ଓ ଜୀବନର ସବୁ ଚ୍ୟାଲେଞ୍ଚକୁ ସାମନା କରିବା ପାଇଁ ଆତ୍ମବିଶ୍ବାସର ସହ ଆଗକୁ ବଢନ୍ତୁ । ଏହା ହିଁ ହେଉଛି ସ୍କୁଲ ରୂପାନ୍ତରର ଲକ୍ଷ୍ୟ ।”