ଧାନବାଦରେ ଭୟାବହ ଅଗ୍ନିକାଣ୍ଡ : ୧୪ ମୃତ, ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା; ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

165

କନକ ବ୍ୟୁରୋ : ଝାଡଖଣ୍ଡର ଧାନବାଦରେ ଭୟଙ୍କର ନିଆଁ । ସହରର ଆଶୀର୍ବାଦ ଟାୱାରରେ ଅଗ୍ନିକାଣ୍ଡ ଘଟି ୧୪ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା, ୩ ଜଣ ଶିଶୁ ଓ ଜଣେ ବୃଦ୍ଧ ରହିଛନ୍ତି । ଅଗ୍ନିକାଣ୍ଡରେ ୧୨ଜଣ ଆହତ ମଧ୍ୟ ହୋଇଛନ୍ତି । ମଙ୍ଗଳବାର ସନ୍ଧ୍ୟାରେ ହଠାତ୍ ଏହି ବହୁତଳ କୋଠାରେ ନିଆଁ ଲାଗି ଯାଇଥିଲା । ଫଳରେ ଲୋକେ ଭୟରେ ଏଣେ ତେଣେ ଦୌଡିବାକୁ ଲାଗିଥିଲେ । ଧିରେ ଧିରେ ନିଆଁ ଅନ୍ୟଆଡକୁ ବ୍ୟାପିବାରେ ଲାଗିଥିଲା । ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଅନେକ ପୁଲିସକର୍ମୀ ବ ଘଟଣାସ୍ଥଳରେ ମହଜୁଦ ଥିଲେ ।

ଧାନବାଦର ଡେପୁଟ କମିଶନର ଘଟଣାସ୍ଥଳରେ ରହି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ନିଆଁ ଲାଗିବାର କାରଣ ଏ ଯାଏଁ ଜଣାପଡିନାହିଁ । ତେବେ କୌଣସି ପୂଜା ଚାଲିଥିବା ସମୟରେ ନିଆଁ ଲାଗିଥିଲା କୁହାଯାଉଛି । ଲୋକଙ୍କୁ ଉଦ୍ଧାର ବେଳେ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏଭଳି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ରାଶି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି  ।