ନେପାଳ ବିମାନ ଦୁର୍ଘଟଣା : ଉଦ୍ଧାର ହେଲାଣି ୧୪ଜଣଙ୍କ ମୃତଦେହ; ସର୍ଚ୍ଚ ଅପରେସନ ଜାରି

282

କନକ ବ୍ୟୁରୋ : ନେପାଳରେ ବିମାନ ଦୁର୍ଘଟଣାରେ ଉଦ୍ଧାର ହେଲାଣି ୧୪ଜଣଙ୍କ ମୃତଦେହ । ଅନ୍ୟ ମୃତଦେହ ଖୋଜିବାକୁ ଏବେବି ସ୍ଥଳସେନା ଓ ବାୟୁ ସେନା ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ । ଘଟଣାସ୍ଥଳରେ ପହଂଚିଛନ୍ତି ବରିଷ୍ଠ ଅଧିକାରୀ । ଆଜି ସକାଳେ ବିମାନ ଦୁର୍ଘଟଣାସ୍ଥଳରେ ପହଞ୍ଚି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ଗତକାଲି ବରଫପାତ ଯୋଗୁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଜି ସକାଳଠାରୁ ଅପରେସନ୍ ଆରମ୍ଭ ହୋଇଥିବା ନେପାଳ ସେନାର ମୁଖପାତ୍ରଙ୍କ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।

ଗତକାଲି ନେପାଳର ପୋଖର ଅଭିମୁଖେ ବିମାନଟି ଉଡାଣ ଭରିବା ପରେ ମଝି ଆକାଶରେ ସକାଳ ୯ଟା ୫୫ରେ ବିମାନ କର୍ତ୍ତପକ୍ଷଙ୍କ ସହ ଯୋଗାଯୋଗ ହୋଇପାରି ନଥିଲା । ଶେଷଥର ପାଇଁ ବିମାନଟି ମୁସ୍ତାଙ୍ଗ ଜିଲ୍ଲାର ଜୋମସୋମ୍ ଆକାଶରେ ଦେଖିବାକୁ ମିଳିଥିଲା । ଏହାପରେ ବିମାନଟିକୁ ଏମଟି ଧଉଳିଗିରି ଅଭିମୁଖେ ଡାଇଭର୍ଟ କରାଯାଇଥିଲା । ଆଉ ତା’ପର ଠାରୁ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା । ଖବର ପାଇ ନେପାଳ ଆର୍ମି ହେଲିକପ୍ଟର ବିମାନକୁ ଖୋଜିବା ପାଇଁ ଯାଇଥିଲେ ମଧ୍ୟ ପାଗ ଖରାପ ଯୋଗୁ ଖୋଜି ନପାରି ଫେରି ଆସିଥିଲା ।

ବିମାନରେ ୪ ଓଡ଼ିଆଙ୍କ ସମେତ ୨୨ ଜଣଙ୍କୁ ନେଇ ବିମାନଟି ଯାଉଥିଲା । ଚାରି ଓଡିଆ ହେଲେ ଅଶୋକ କୁମାର ତ୍ରିପାଠୀ, ପତ୍ନୀ ରିତିକା ତ୍ରିପାଠୀ, ପୁଅ ଧନୁଷ ତ୍ରିପାଠୀ ଏବଂ ଝିଅ ବୈଭବୀ ତ୍ରିପାଠୀ । ଏପର୍ଯ୍ୟନ୍ତ ଯାତ୍ରୀମାନଙ୍କର କୌଣସି ପତା ମିଳିପାରିନାହିଁ । ଅଶୋକଙ୍କ ଶ୍ୱଶୁର ଘର ମୁମ୍ବାଇରେ । ପୁଅ, ଝିଅଙ୍କ ସହ ପତ୍ନୀ ବାପ ଘର ମୁମ୍ବାଇରେ ରହୁଥିଲେ । ଅଶୋକ ଭୁବନେଶ୍ୱରରେ ରହି ଏକ ସଫ୍ଟୱେୟାର ସଂସ୍ଥାରେ କାମ କରୁଥିଲେ । ସେ ସୋନପୁରର ମୁଳ ବାସିନ୍ଦା ହୋଇଥିବା ବେଳେ ଭୁବନେଶ୍ୱରରେ ରହୁଥିଲେ । ଗତ ୨୬ ତାରିଖରେ ସେ ପରିବାର ସହ କାଠମାଣ୍ଡୁ ଗସ୍ତ କରିଥିଲେ । ଅଶୋକ ତାଙ୍କ ପରିବାର ସହ ଆସନ୍ତା ୬ ତାରିଖରେ ଫେରିବାର ଥିଲା ।