ଏଡିଆର ଦେଲା ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ବଢୁଛି ମନ୍ତ୍ରୀଙ୍କ ସମ୍ପତ୍ତି, ବଢୁଛି ନେତାଙ୍କ ନାଁରେ ଅପରାଧିକ ମାମଲା ।

367

କନକ ବ୍ୟୁରୋ : ବଢିଛି ରାଜ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ସମ୍ପତି । ଆଉ ଏହା ସହିତ ବଢିଛି ଅପରାଧିକ ରେକର୍ଡ । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ ବା ଏଡିଆର ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଓଡିଶା ମନ୍ତ୍ରୀଙ୍କ ବାବଦରେ ପ୍ରକାଶ ପାଇଛି କିଛି ଏମିତି ତଥ୍ୟ ।

ଧନୀ ମନ୍ତ୍ରୀ ତାଲିକାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ପରେ ଅଛନ୍ତି ମନ୍ତ୍ରୀ ନବ ଦାସ ଓ ପ୍ରତାପ ଜେନା । ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ ସମ୍ପତି ୬୩.୮୭ କୋଟି ଟଙ୍କା ହୋଇଥିବା ବେଳେ ନବ ଦାସଙ୍କ ମୋଟ ସମ୍ପତି ୩୩.୬୨ କୋଟି ଓ ପ୍ରତାପ ଜେନା ୯.୬୪ କୋଟି ଟଙ୍କାର ମାଲିକ ହୋଇଥିବା ଦର୍ଶାଯାଇଛି । ୨୦୧୪ରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ୨୨ଜଣ ସଭ୍ୟଙ୍କ ମଧ୍ୟରୁ ୧୩ ଜଣ କୋଟିପତି ମନ୍ତ୍ରୀ ଥିବା ବେଳେ ୨୦୧୯ରେ ମଧ୍ୟ ୨୧ ଜଣିଆ ମନ୍ତ୍ରୀମଣ୍ଡଳରେ ଏହି ସଂଖ୍ୟା ସମାନ ରହିଛି ।

କିନ୍ତୁ ୨୦୧୪ ତୁଳନାରେ ଚଳିତ ପାଳିରେ ମନ୍ତ୍ରୀଙ୍କ ହାରାହାରି ସମ୍ପତି ମୂଲ୍ୟ ୨.୨୭ କୋଟିରୁ ବୃଦ୍ଧିପାଇ ୭.୩୪ କୋଟି ଟଙ୍କାରେ ପହଂଚିଛି । ସେହିପରି ୨୦୧୪ରେ ୬ଜଣ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ ୨୦୧୯ରେ ୮ଜଣ ମନ୍ତ୍ରୀଙ୍କ ନାମରେ ବିଭିନ୍ନ ମାମଲା ଥିବା କୁହାଯାଇଛି । ଆଉ ଏହି ମଧ୍ୟରୁ ୭ଜଣଙ୍କ ନାମରେ ଗୁରୁତର ଅପରାଧିକ ମାମଲା ଥିବା ରିପୋର୍ଟରେ ପ୍ରକାଶ ପାଇଛି, ଯାହାକି ୨୦୧୪ରେ ୪ରେ ସୀମିତ ଥିଲା ।

ଏଡିଆର ରିପୋର୍ଟ ଅନୁସାରେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୪ ଜଣ ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ହୋଇଥିବା ବେଳେ ୧୭ଜଣଙ୍କର ଗ୍ରାଜୁଏଟ୍ ବା ତଦୁଦ୍ଧ୍ୱର୍ । ସେହିପରି ୮ଜଣ ମନ୍ତ୍ରୀଙ୍କ ବୟସ ୩୧ରୁ ୫୦ ବର୍ଷ ମଧ୍ୟରେ ହୋଇଥିବା ବେଳେ ୧୩ ଜଣ ୫୧ରୁ ଅଧିକ ବୟସର ଥିବା ଜଣାପଡିଛି ।