ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ । ଯବାନଙ୍କ ଗୁଳିରେ ସାଧାରଣ ଲୋକଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କଲା ସେନା ।

132

କନକ ବ୍ୟୁରୋ :  ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣାରେ ହେବ ଏସଆଇଟି ତଦନ୍ତ । ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ ଏହି ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସେନା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ କୋର୍ଟ ଅଫ୍ ଇନକ୍ୟୁରି ଅର୍ଡର ଦେଇଛି । ନାଗାଲାଣ୍ଡର ମୋନ୍ ଜିଲ୍ଲା ତିରୁ ଗାଁ ଦେଇ ଏକ ପିକଅପରେ ସାଧାରଣ ଲୋକ ଯାଉଥିଲେ । କୋଇଲା ଖଣିରେ କାମ କରୁଥିବା ଏହି ଶ୍ରମିକଙ୍କୁ ଉଗ୍ରବାଦୀ ଭାବି ଗୁଳି ଚଳାଇଥିଲେ ସୁରକ୍ଷାକର୍ମୀ । ଏହି ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହେବା ସହ କେତେକ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଅନ୍ୟପଟେ ଏହି ଘଟଣାକୁ ନେଇ ତିରୁ ଗାଁରେ  ହିଂସାକାଣ୍ଡ ଦେଖାଦେଇଥିଲା । ସାଧାରଣ ଲୋକଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ହୋଇ  ସେନା ଯବାନଙ୍କ ଗାଡି ପୋଡି ଦେଇଛନ୍ତି ସ୍ଥାନୀୟ ଲୋକେ । ଏଥିରେ ଜଣେ ଯବାନ ପ୍ରାଣ ହରାଇଥିବା ସୂଚନା ମିଳିଛି । ଘଟଣା ଉଗ୍ରରୂପ ନେଉଥିବାରୁ ସ୍ଥାନୀୟ ଲୋକଙ୍କୁ ଶାନ୍ତି ବଜାୟ ରଖିବାକୁ ଅପିଲ୍ କରିଛନ୍ତି ନାଗାଲାଣ୍ଡ ମ୍ରୁଖ୍ୟମନ୍ତ୍ରୀ ନେଇଫିଉ ରିଓ । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଏଥିରେ ଦୁଃଖ ପ୍ରକାଶ କରି ଟୁଇଟ୍ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ମିଆଁମାର ସୀମାକୁ ଲାଗିଥିବା ମୋନ ଜିଲ୍ଲାରେ ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଚଳାଇଥିଲା ସେନା । ଆତଙ୍କବାଦୀଙ୍କ ଗତିବିଧି ଥିବା ଜାଣିବା ପରେ ଏମାନଙ୍କୁ ନିପାତ କରିବାକୁ ସୁଯୋଗ ଅପେକ୍ଷାରେ ଥିଲା ସେନା । କିନ୍ତୁ ଗ୍ରାମବାସୀଙ୍କୁ ଧରି ଯାଉଥିବା ଏକ ଗାଡିକୁ ଉଗ୍ରବାଦୀଙ୍କ ଗାଡି ଭାବି ଗୁଳି କରିଥିଲେ ସେନାର ଯବାନ । ଆଉ ଘଟଣାସ୍ଥଳରେ ହିଁ କିଛି ଗ୍ରାମବାସୀଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଗ୍ରାମବାସୀଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି ।