ରାଜ୍ୟରେ ଭାଙ୍ଗିଛି ୧ ଲକ୍ଷ ୫୬ ହଜାର ବିଦ୍ୟୁତ୍ ଖୁଣ୍ଟ । ଶକ୍ତି ବିଭାଗର ୧୨୦୦ କୋଟି ଟଙ୍କା କ୍ଷତି ହୋଇଛି । ସୂଚନା ଦେଲେ ଶକ୍ତି ସଚିବ

528

କନକ ବ୍ୟୁରୋ : ବାତ୍ୟା ଫୋନି ପାଇଁ ଅନ୍ଧାରରେ ରାଜଧାନୀ ଭୁବନେଶ୍ୱର । କେବଳ ଭୁବନେଶ୍ୱର ନୁହେଁ ବରଂ କଟକ ଓ ପୁରୀକୁ ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି । ସାମୁଦ୍ରିକ ଝଡ଼ ଫନି ଯୋଗୁଁ ଭୁବନେଶ୍ୱରରେ ୧୦ ହଜାରରୁ ଅଧିକ ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ଜଣାପଡ଼ିଛି। ଫନି ଯୋଗୁଁ ରାଜଧାନୀର ୨୯ ଲକ୍ଷ ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି ବୋଲି ରବିବାର ସେସୁ ସୂଚନା ଦେଇଛି। ‘ସେସୁ’ର ସୂଚନା ଅନୁସାରେ ପ୍ରଭାବିତ ଅଂଚଳ ସହିତ ସଂପୂର୍ଣ୍ଣ ରୂପେ ଯୋଗାଯୋଗ ହୋଇପାରି ନାହିଁ। ପୁରୀରେ ଭୀଷଣ ମାତ୍ରରେ କ୍ଷତି ହୋଇଛି, ଯାହା କି ଆକଳନ କରିବା ସମ୍ଭବ ନୁହେଁ। ଭୁବନେଶ୍ୱରରେ ସେସୁର ଅତିରିକ୍ତ ୧୫୦୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଯଥା ସମ୍ଭବ ଭୁବନେଶ୍ୱରକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସୂଚନା ଦେଇଛି ସେସୁ ।

ବିଦ୍ୟୁତ ଯୋଗାଣ ନେଇ ଶକ୍ତି ସଚିବ ହେମନ୍ତ ଶର୍ମା କହିଛନ୍ତି, ଜରୁରୀକାଳୀନ ଭିତ୍ତିରେ କିଛି ଅନୁଷ୍ଠାନକୁ ରବିବାର ରାତି ସୁଦ୍ଧା ବିଦ୍ୟୁତ ଯୋଗାଇ ଦିଆଯିବ। ହସପିଟାଲ, ରେଳବାଇ ଓ ବିମାନମନ୍ଦରକୁ ପ୍ରଥମେ ବିଦ୍ୟୁତ ଯୋଗାଇ ଦିଆଯିବ। ଘରୋଇ ଉପଭୋକ୍ତାଙ୍କୁ ସୋମବାର ବିଦ୍ୟୁତ ସେବା ଯୋଗାଇ ଦିଆଯିବ। କଟକ, କେନ୍ଦ୍ରାପଡା, ଜଗତସିଂହପୁରକୁ ଆଜି ରାତି ସୁଦ୍ଧା ୫୦ ପ୍ରତିଶତ ବିଦ୍ୟୁତ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଯାଜପୁର, ବାଲେଶ୍ୱର ଓ ଭଦ୍ରକରେ ୯୦ ପ୍ରତିଶତ ଲୋକଙ୍କ ପାଖରେ ବିଦ୍ୟୁତ ପହଞ୍ଚିଛି । ତେବେ ଭୁବନେଶ୍ୱରରେ ଆଜି ଆହୁରି ୪ ଗ୍ରୀଡରେ ବିଦ୍ୟୁତ ସଂଯୋଗ ଦିଆଯିବ ବୋଲି କହିଛନ୍ତି ଶକ୍ତି ସଚିବ । ରାଜ୍ୟରେ ମୋଟ ୧ ଲକ୍ଷ ୫୬ ହଜାର ବିଦ୍ୟୁତ ଖୁଣ୍ଟ ଭାଙ୍ଗିଥିବା ବେଳେ ପୁରୀରେ ସର୍ବାଧିକ ୫୬ ହଜାର ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିଛି । ତେଣୁ ପୁରୀରେ ବିଦ୍ୟୁତ ସଂଯୋଗ ପାଇଁ ଆହୁରି କିଛି ଦିନ ଲାଗିବ ବୋଲି ଶକ୍ତି ସଚିବ ସୂଚନା ଦେଇଛନ୍ତି ।

image courtesy : PTI

ବାତ୍ୟା ଫନି ଯୋଗୁଁ ୧୨୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ଶକ୍ତି ସଚିବ କହିଛନ୍ତି। ବିଦ୍ୟୁତ ଯୋଗାଣ ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି, ଭୁବନେଶ୍ୱର, ପୁରୀ ଓ କଟକରେ ଗ୍ରୀଡ଼ ମରାମତି କାମ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। କଟକରେ ସମସ୍ତ ଗ୍ରୀଡ଼ କାମ ଶେଷ ହୋଇଥିବା ବେଳେ ସୋମବାର ସୁଦ୍ଧା ଭୁବନେଶ୍ୱରରେ ଶେଷ ହେବ। ପୁରୀରେ କାମ ଶେଷ ହେବାକୁ ୩ ଦିନ ଲାଗିବ। ଏସବୁ ଭିତରେ ଘରୋଇ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛନ୍ତି ଶକ୍ତି ସଚିବ । ବିଦ୍ୟୁତ୍ ସଂଯୋଗ ନେବା ପୂର୍ବରୁ ଯାଞ୍ଚ କରିବାକୁ ପରାମର୍ଶ ଦେଇଛନ୍ତି ଶକ୍ତି ସଚିବ । ଭଲ ଭାବେ ଯାଞ୍ଚ କରିବା ପରେ ଯଦି ସବୁ ଠିକ୍ ଥାଏ ତେବେ ବିଦ୍ୟୁତ୍ ସଂଯୋଗ ନିଅନ୍ତୁ ବୋଲି ଶକ୍ତି ସଚିବ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।