କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାରେ ଆସନ୍ତା ୨୫ ତାରିଖରୁ ଟଙ୍କା ବଣ୍ଟା ଆରମ୍ଭ ହେବ । ପ୍ରାଥମିକ ପର୍ଯ୍ୟାୟରେ ୧୨ ଲକ୍ଷ ଚାଷୀଙ୍କ ତାଲିକା ଚୂଡ଼ାନ୍ତ ହୋଇଛି। ଗୋଟିଏ ଦିନରେ ଏ ସମସ୍ତ ଚାଷୀଙ୍କ ଆକାଉଣ୍ଟ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ । ସେହିଦିନ ପୁରୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜନ ହେଉଥିବା ବିଶାଳ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅର୍ଥ ପ୍ରଦାନ ପ୍ରକ୍ରିୟାର ଶୁଭାରମ୍ଭ କରିବେ ।
Kanak News is now on WhatsApp
Join and get latest news updates delivered to you via WhatsApp
ସରକାରୀ ଭାବେ ଏହି ସମାବେଶ ଆୟୋଜନ କରାଯାଉଥିଲେ ବି ଏହାକୁ ସଫଳ କରିବା ପାଇଁ ଶାସକ ଦଳର ସବୁ ବିଧାୟକ ଅଣ୍ଟା ଭିଡ଼ିଛନ୍ତି । ପୁରୀ ମାଳତୀପାଟପୁର ନିକଟସ୍ଥ ରାହାଙ୍ଗିଣିଆଠାରେ ହେବାକୁ ଥିବା ଏହି ସମାବେଶରେ ଏକ ଲକ୍ଷ ଚାଷୀଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖାଯାଇଛି । ପ୍ରତି ନିର୍ବାଚନମଣ୍ଡଳୀରୁ ଯେପରି ଚାଷୀ ପ୍ରତିନିଧି ଏଥିରେ ଯୋଗ ଦେବେ, ସେଥି ପାଇଁ ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି ।
ଶାସକ ଦଳର ପ୍ରତି ବିଧାୟକ ନିଜ ନିଜ ଅଞ୍ଚଳରୁ ଚାଷୀଙ୍କୁ ଏହି ସମାବେଶକୁ ଆଣିବେ ।ବିଧାୟକଙ୍କ ତତ୍ତ୍ବାବଧାନରେ ଚାଷୀମାନେ ଆସୁଥିଲେ ବି କୌଣସି ସ୍ଥାନରେ ଦଳୀୟ ପତାକା ବ୍ୟବହାର ହେବ ନାହିଁ କିମ୍ବା ଦଳୀୟ ସ୍ଲୋଗାନ୍ ଦିଆ ଯିବ ନାହିଁ ବୋଲି ସତର୍କ କରିଦିଆଯାଇଛି।ପ୍ରତି ଜିଲ୍ଲା ନିମନ୍ତେ ‘କାଳିଆ’ ଯୋଜନା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକମାନେ ମଧ୍ୟ ଏହାର ତଦାରଖ କରୁଛନ୍ତି । ଏହି ସମାବେଶରେ ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କୁ ଉପସ୍ଥିତ ରହିବେ।