୧୨ ଜାତିଙ୍କୁ ମିଳିବ ଆଦିବାସୀ ମାନ୍ୟତା। ଓଡି଼ଶାର ‘ଦୁରୁଆ’ ଓ ‘ଝୋଡ଼ିଆ’ଙ୍କୁ ଅଣଦେଖା!

174

କନକ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟର ନିଷ୍ପତି ଅନୁସାରେ ୧୨ଟି ଜାତିଙ୍କୁ ମିଳିବ ଜନଜାତି ମାନ୍ୟତା । ବୁଧବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅନୁସୂଚିତ ଜନଜାତିକୁ ନେଇ ଏହି ବଡ ନିଷ୍ପତି କରାଯାଇଛି । ଏଥିରେ ଛତିଶଗଡ ସମେତ ହିମାଚଳପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଉତ୍ତରପ୍ରଦେଶର କେତେକ ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ଅର୍ଥାତ ଆଦିବାସୀ ସମ୍ପ୍ରଦାୟରେ ସାମିଲ ଲାଗି ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି । କ୍ୟାବିନେଟ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଓ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି । ବିଝିଆ ସମୁଦାୟକୁ ଓଡିଶା ଏବଂ ଝାଡଖଣ୍ଡରେ ଅନୁସୂଚିତ ଜନଜାତି ଶ୍ରେଣୀରେ ରଖାଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ।

ପଡୋଶୀ ଝାଡଖଣ୍ଡରେ ଦୁରୁଆ ସମ୍ପ୍ରଦାୟକୁ ଆଦିବାସୀ ମାନ୍ୟତା ମିଳିଥିଲେ ସୁଦ୍ଧା ଓଡିଶାରେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଦୀର୍ଘବର୍ଷ ହେଲା ଏନେଇ ଦାବି ହୋଇଆସୁଥିଲେ ବି କେହି କର୍ଣ୍ଣପାତ କରୁନାହାନ୍ତି । ଉଭୟ ରାଜ୍ୟରେ ଥିବା ଏହି ସମାଜର ଲୋକଙ୍କ ଭିତରେ ସାଂସ୍କୃତିକ ସାମଞ୍ଜସ୍ୟ ରହିଥିଲେ ବି ଓଡିଶାରେ ଥିବା ଲୋକଙ୍କୁ କେନ୍ଦ୍ର ସରକାର ମାନ୍ୟତା ଦେବାରେ ଅବହେଳା କରୁଥିବା ଅଭିଯୋଗ ହୋଇଛି ।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଦୁରୁଆ ସମ୍ପ୍ରଦାୟର ପ୍ରାୟ ୪୫ ହଜାର ଲୋକ ଅଛନ୍ତି । ନିର୍ବାଚନ ଆସିଲେ ନେତା ଗାଁକୁ ଆସନ୍ତି । ଏମାନଙ୍କ ଭୋଟ ହାସଲ କରିବା ପାଇଁ ଆଦିବାସୀ ମାନ୍ୟତା ଦେବାକୁ ପ୍ରଲୋଭନ ଦିଅନ୍ତି । ହେଲେ ପରେ ଭୁଲି ଯାଆନ୍ତି ବୋଲି ଅଭିଯୋଗ କରିଛନ୍ତି ସମାଜର ଲୋକେ । ଆଦିବାସୀ ମାନ୍ୟତା ମିଳିଲେ ଏମାନଙ୍କୁ ଶିକ୍ଷା ଓ ଚାକିରି କ୍ଷେତ୍ରରେ ଅନେକ ସୁବିଧା ସୁଯୋଗ ମିଳିପାରନ୍ତା । ହେଲେ ବର୍ଷବର୍ଷ ଧରି ଏମାନଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ ହୋଇଆସୁଛି ।