ରାଜସ୍ଥାନ କୋଟାରୁ ଫେରିଲେ ଫସିଥିବା ଛାତ୍ରଛାତ୍ରୀ: ଛାତ୍ରଛାତ୍ରୀଙ୍କୁ ନେଇ ରାଉରକେଲାରେ ପହଞ୍ଚିଲା ବସ୍; ଦୁଇଟି ବସରେ ଫେରିଲେ ୧୧୬ ଜଣ ଛାତ୍ରଛାତ୍ରୀ

1,133

କନକ ବ୍ୟୁରୋ:  ରାଜସ୍ଥାନର କୋଟା ଓ ମହାବୀର ନଗରରେ ଫସିଥିବା ଓଡିଆ ଛାତ୍ରଛାତ୍ରୀ ଶେଷରେ କୋଟାରୁ ଆସି ରାଉରକେଲାରେ ପହଂଚିଛନ୍ତି । ୨ଟି ବସରେ ୫୭ ଜଣ ଛାତ୍ରଛାତ୍ରୀ ପହଂଚିଥିବାବେଳେ ଅନ୍ୟ ୨ଟି ବସରେ ୫୯ ଜଣ ଛାତ୍ରଛାତ୍ରୀ ଆସୁଥିବା ଜଣାପଡିଛି । ରାଉରକେଲାରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ହୋମ କ୍ୱାରେଂଟିନରେ ରଖାଯିବ । ମୋଟ୍ ୧୧୬ ଜଣ ଛାତ୍ରଛାତ୍ରୀ ନିଜ ବ୍ୟବସ୍ଥାରେ ଆସି କୋଟାରୁ ରାଉରକେଲା ଅଭିମୁଖେ ବାହାରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରାୟ ୪ ହଜାର ଟଙ୍କା ଲେଖାଏଁ ବସ ଭଡା ଦେଇ ଗତକାଲି ଦିନ ପ୍ରାୟ ଦିନ ୧୦ଟା ୧୫ ମିନିଟ ସମୟରେ ରାଜସ୍ଥାନ କୋଟାର ଲ୍ୟାଣ୍ଡମାର୍କ ସିଟି ଓ ମହାବୀର ନଗରରୁ ୪ଟି ବସରେ ରାଉରକେଲା ଅଭିମୁଖେ ବାହାରିଥିଲେ ।

ବସ ବାହାରିବା ପୂର୍ବରୁ ଏହାକୁ ଭଲଭାବେ ବିଶୋଧନ କରାଯାଇଥିଲା । ସେମାନେ ମଧ୍ୟପ୍ରଦେଶ, ଛତିଶଗଡ, ରାୟଗଡ, ସମ୍ବଲପୁର, ଝାରସୁଗୁଡା ଦେଇ ଶେଷରେ ରାଉରକେଲାରେ ପହଂଚିଛନ୍ତି । ଦେଶବ୍ୟାପୀ ଲକଡାଉନ ଯୋଗୁଁ ରାଜସ୍ଥାନର କୋଟାରେ ଏହି ଛାତ୍ରଛାତ୍ରୀମାନେ ଫସିରହିଥିଲେ । ଗତ ୧୮ ତାରିଖରେ ଅଭିଭାବକମାନେ ରାଉରକେଲାରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ । ଜିଲ୍ଲା ପ୍ରଶାସନ ଜରିଆରେ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ ଜଣାଇଥିଲେ ।