କନକ ବ୍ୟୁରୋ : ଦେଶର ରାଜଧାନୀ ଦିଲ୍ଲୀର ମୁଖ୍ୟ ରେଳ ଷ୍ଟେସନରୁ ୧୧ ଜଣ ନକଲି ଟିଟିଆଇଙ୍କୁ ଗିରଫ କରାଯାଇଛି । ସେମାନେ ଦୀର୍ଘ ୧୫ ଦିନ ହେବ ଏହି ରେଳ ଷ୍ଟେସନରେ ଟିଟିଆଇ ସାଜି ଡ୍ୟୁଟି କରୁଥିଲେ । ହେଲେ ଏନେଇ କୌଣସି ରେଳ କର୍ମଚାରୀଙ୍କ ମନରେ ସନ୍ଦେହ ହୋଇ ନଥିଲା । ଏଭଳି ଘଟଣା ସାମ୍ନାକୁ ଆସିବା ପରେ ରେଳ ପ୍ରଶାସନ ଓ ସୁରକ୍ଷା ଏଜେନ୍ସିକୁ ନେଇ ଅନେକ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ଏହି ୧୧ ଜଣ ଟିଟିଆଇଙ୍କୁ ନେଇ ପ୍ରଥମେ ଜଣେ ରେଳ କର୍ମଚାରୀଙ୍କର ସନ୍ଦେହ ଉପୁଜିଥିଲା । ଏହାପରେ ସେ ରେଳବାଇ ପୋଲିସକୁ ସୂଚନା ଦେବା ପରେ ଏମାନଙ୍କୁ ଗିରଫ କରାଯାଇଛି ।

Advertisment

ଏକ ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏହି ନକଲି ଟିଟିଆଇମାନେ ଅସଲି ଟିଟିଆଇଙ୍କ ଭଳି ଧଳା ପୋଷାକ ପିନ୍ଧି ଦିଲ୍ଲୀ ରେଳ ଷ୍ଟେସନରେ ଟିକେଟ୍ ଚେକିଂ କରୁଥିଲେ । ଏହାସହ ୮ ଘଂଟା ଡ୍ୟୁଟି ଶେଷ ହେବା ପରେ ସେମାନେ ପଳାଇ ଯାଉଥିଲେ । ଏଠି କଥା ଉଠୁଛି କି ଦିଲ୍ଲୀ ଭଳି ଏକ ସମ୍ବେଦନଶୀଳ ସହରରେ ଜଣେ କି ଦୁଇଜଣ ନୁହେଁ ଏକାଥରକେ ୧୧ ଜଣ ନକଲି ଟିଟିଆଇ ରେଳ ଷ୍ଟେସନ ଭିତରେ ପଶି ଡ୍ୟୁଟି କରିବା ପଛରେ ଅନ୍ୟ କିଛି ଯୋଜନା ନଥିଲା ତ ?

କୁହାଯାଉଛି କି ରାଜଧାନୀରେ ପ୍ରଥମଥର ପାଇଁ ଏଭଳି ହୋଇଛି । ମଙ୍ଗଳବାର ଦିନ ରେଳ ବିଭାଗର ଜଣେ ଅଧିକାରୀ ରିତେଶ ବାଧବା କାନପୁର ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିଲେ । ହେଲେ ବାଟରେ ଏହି ନକଲି ଟିଟିଆଇ ଟିକେଟ ଚେକିଂ କରୁଥିବାର ଦେଖି ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ଏହାପରେ ରିତେଶ ବାଧବାଙ୍କର ସନ୍ଦେହ ହେବାରୁ ସେ ରେଳବାଇ ପୋଲିସକୁ ସୂଚନା ଦେଇଥିଲେ । ରେଳବାଇ ପୋଲିସ ପ୍ରଥମେ ଜଣଙ୍କୁ ଗିରଫ କରିବା ପରେ ତାର ତଥ୍ୟ ଆଧାରରେ ଅନ୍ୟ ୧୦ ଜଣଙ୍କୁ ଅଟକ ରଖିଛି ।