କନକ ବ୍ୟୁରୋ : ମହାରାଷ୍ଟ୍ରର ନଭି ମୁମ୍ବାଇରେ ଆୟୋଜିତ ‘ମହାରାଷ୍ଟ୍ର ଭୂଷଣ ପୁରସ୍କାର’ ସମାରୋହରେ ବଡ଼ ଅଘଟଣ । ଅଂଶୁଘାତରେ ୧୧ଜଣ ପ୍ରାଣ ହରାଇଥିବା ବେଳେ ୬୦୦ରୁ ଅଧିକ ଲୋକେ ଅସୁସ୍ଥ ହୋଇଛନ୍ତି । ରବିବାର ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟାରେ ଲୋକେ ଏକାଠି ହୋଇଥିଲେ । କିନ୍ତୁ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହକୁ ସହ୍ୟ କରିପାରିନଥିଲେ ଲୋକେ । ଗରମ ବଢ଼ିବା ଦ୍ୱାରା ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଲାଗିଲା । ପାଖାପାଖି ଖୋଲା ଆକାଶ ତଳେ ଲୋକେ ୬ ଘଣ୍ଟା ଧରି ବସିର ରହଥିଲେ ।

Advertisment

ତେବେ ସେଠାରେ ମାତ୍ର ଦୁଇଟି ଟେଣ୍ଟ ହୋଇଥଲା, ଯେଉଁଥିରେ ୧ହଜାର ଜଣକ ଭିଆଇପି ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବା ସୁବିଧା ଥିଲା । କିନ୍ତୁ ଯେଉଁମାନେ ପ୍ରଚଣ୍ଡ ଖରାରେ ବସିଥିଲେ, ସେମାନଙ୍କ ମଧ୍ୟରୁ ଅନେକ ଲୋକ ଅଂଶୁଘାତର ଶିକାର ହୋଇଥିଲେ । କିଛି ଲୋକେ ଅଚେତ ମଧ୍ୟ ହୋଇପଡ଼ିଥିଲେ । ଯେଉଁ କାରଣରୁ ଚଳାଚକଟା ଭଳି ସ୍ଥିତି ବି ଉପୁଜିଥିଲା । ଏଭଳି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିବା ସହ ହସ୍ପିଟାଲରେ ପୀଡ଼ିତଙ୍କୁ ଭେଟିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ।

ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହା ସହ ସମସ୍ତ ରୋଗୀଙ୍କୁ ସରକାର ଚିକିତ୍ସା ଯୋଗାଇ ଦେବେ ବୋଲି ସେ କହିଛନ୍ତି । ସେହିପରି ଉଦ୍ଧବ ଠାକରେ, ଆଦିତ୍ୟ ଠାକରେ ଓ ଏନସିନି ନେତା ଅଜିତ ପାୱାର ମଦ୍ୟ ଏମଜିଏମ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟିଛନ୍ତି । ସୂଚନା ଅନୁସାରେ, ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଯୋଗ ଦେଇଥିଲେ ।