ଆଜିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା ! ୨୯୬୫ କେନ୍ଦ୍ରରେ ପରୀକ୍ଷା ଦେବେ ୫ ଲକ୍ଷ ୭୫ ହଜାର ପରୀକ୍ଷାର୍ଥୀ 

131
କନକ ବ୍ୟୁରୋ : ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ରାଜ୍ୟର ୨ ହଜାର ୯୫୩ ସେଂଟରରେ ପରୀକ୍ଷା କେନ୍ଦ୍ରରେ ବସିବେ ୫ଲକ୍ଷ ୮୭ ହଜାର ୭୨୦ ଜଣ ପରୀକ୍ଷାର୍ଥୀ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି କରି ସାରିଛି ମାଧ୍ୟମିକ ଶିକ୍ଷା ପରିଷଦ । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରଶ୍ନପତ୍ର ରଖିବା ପାଇଁ ରାଜ୍ୟରେ ୭ ଶହ ନୋଡାଲ ସେଂଟର କରାଯାଇଛି ।
ଏହି ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମାଟ୍ରିକ୍ ରେଗୁଲାରରେ ୫ଲକ୍ଷ ୪୫ହଜାର ୩୬୪ଜଣ, ଏକ୍ସ ରେଗୁଲାରରେ ୨୫ହଜାର ୮ଜଣ, ପତ୍ରବିନିମୟ(ସିସି) ରେଗୁଲାର ୨୧୦୬ଜଣ, ପତ୍ରବିନିମୟ(ସିସି) ଏକ୍ସ ରେଗୁଲାରରେ ୨୧୧ଜଣ ନାମ ପଞ୍ଜୀକରଣ କରିଛନ୍ତି । ମଧ୍ୟମା ପାଇଁ ମୋଟ ୩ହଜାର ୯ଜଣ ପରୀକ୍ଷାର୍ଥୀ ରହିଥିବା ବେଳେ ଷ୍ଟେଟ୍ ଓପନ୍ ସ୍କୁଲ ପରୀକ୍ଷା ପାଇଁ ୧୨ହଜାର ୧୨ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି । ମାଟ୍ରିକ୍ ପାଇଁ ମୋଟ ୨୮୩୦ଟି, ମଧ୍ୟମା ପାଇଁ ୪୪ଟି ଓ ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ୭୯ଟି ପରୀକ୍ଷା କେନ୍ଦ୍ର ସ୍ଥିର ହୋଇଛି  ।

 

ସମସ୍ତ ପରୀକ୍ଷାର ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ ୩୦୪ଟି ନୋଡାଲ ସେଣ୍ଟର କରାଯାଇଛି । ସମସ୍ତ ନୋଡାଲ ସେଣ୍ଟର ସଶସ୍ତ୍ର ସୁରକ୍ଷା କର୍ମୀଙ୍କ ଦାୟିତ୍ବରେ ରଖାଯାଇଛି । ନୋଡାଲ ସେଣ୍ଟରରୁ ପରୀକ୍ଷାକେନ୍ଦ୍ରକୁ ପ୍ରଶ୍ନପତ୍ର ସ୍ଥାନାନ୍ତର ପାଇଁ ୬୯୩ଟି ଡେସ୍‌ପ୍ୟାଚ୍‌ ଟିମ୍‌ ଗଠିତ ହୋଇଛି । ପରୀକ୍ଷା ସୁପରିଚାଳନା ପାଇଁ ୫୮ଟି ଜିଲ୍ଲାସ୍ତରୀୟ ସ୍କ୍ବାଡ୍, ବୋର୍ଡର ୪୪ଟି କେନ୍ଦ୍ରୀୟ ସ୍କ୍ବାଡ୍ ସମେତ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ସ୍ବତନ୍ତ୍ର ସ୍କ୍ବାଡ୍ ଗଠିତ ହୋଇଛି । କେବଳ କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ଛାଡିଦେଲେ ମାଟ୍ରିକ୍ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ଅନ୍ୟ କେହି ପରୀକ୍ଷା କେନ୍ଦ୍ରରେ ମୋବାଇଲ ବ୍ୟବହାର କରି ପାରିବେ ନାହିଁ ।

ବୋର୍ଡର ପରିବର୍ତ୍ତିତ କାର୍ଯ୍ୟସୂଚୀ ଅନୁସାରେ ମାଟ୍ରିକ୍ ପରୀକ୍ଷା ସକାଳ ୧୦ଟାରୁ ଏବଂ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଅପରାହ୍‌ଣ ୨ଟାର ଆରମ୍ଭ ହେବ । ମାଟ୍ରିକର ସବୁ ବିଷୟ ପରୀକ୍ଷା ସକାଳ ୧୦ଟାରୁ ୧୨ଟା ୩୦ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ଗଣିତ ୧୦ଟାରୁ ଆରମ୍ଭ ହୋଇ ୧୨ଟା ୪୫ରେ ସରିବ । ନୂଆ ଯୋଜନା ଅନୁସାରେ ଚଳିତବର୍ଷ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦିନ ସକାଳ ୬ଟାରୁ ୮.୩୦ ମଧୢରେ ପହଞ୍ଚିବ । ଚଳିତବ‌ର୍ଷ ତିନି ଲେୟାର ବିଶିଷ୍ଟ ପ୍ରଶ୍ନପତ୍ର ପ୍ରଚଳନ କରାଯାଉଛି। ପ୍ରଥମ ଲେୟାରଟି ଜଣେ ଓଏଏସ୍‌/ଓଇଏସ୍‌/ଓଏଫ୍‌ଏସ୍‌ ସ୍ତରର ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇ ଖୋଲାଯିବ । ଦ୍ବିତୀୟ ଲେୟାରଟି ୯. ୪୫ମିନିଟ୍‌ରେ ପରୀକ୍ଷା ହଲ୍‌ରେ ଇନ୍‌ଭିଜିଲେଟର ଓ ପରୀକ୍ଷାର୍ଥୀଙ୍କ ଉପସ୍ଥିତିରେ ଖୋଲାଯିବାକୁ ଥିବା ବେଳେ ତୃତୀୟ ଲେୟାର ପେପେର ସିଲ୍ ପରୀକ୍ଷାର୍ଥୀ ଠିକ୍ ୧୦ଟାରେ ଖୋଲି ପରୀକ୍ଷା ଦେବେ । ଏବ‌ର୍ଷ ପ୍ରଶ୍ନପତ୍ର ପଢ଼ିବାକୁ ପିଲାଙ୍କୁ ଅତିରିକ୍ତ ସମୟ ମିଳିବ ନାହିଁ ।