୩୬ ବର୍ଷରେ ପାଦଦେଲା ଓଡ଼ିଶାର ସର୍ବାଧିକ ପ୍ରସାରିତ ଖବରକାଗଜ ସମ୍ବାଦ । କନକ ନ୍ୟୁଜ୍ ପାଳିଲା ୧୦ବର୍ଷ ପୂର୍ତ୍ତି ଉତ୍ସବ, ସଫଳତା ଓ ସଂଘର୍ଷର କାହାଣୀ କହିଲେ ସୌମ୍ୟରଂଜନ ପଟ୍ଟନାୟକ

329

କନକ ବ୍ୟୁରୋ : ଏକ ଦାୟିତ୍ୱବାନ ବୈଦ୍ୟୁତିକ ଗଣମାଧ୍ୟମ ହିସାବରେ ସଫଳତାର ସହ ୧୦ ବର୍ଷ ପୂରଣ କରିଛି କନକ ନ୍ୟୁଜ୍ । ସଠିକ ଓ ସତ୍ୟ ଖବର ପରିବେଷଣ ସହ ରାଜ୍ୟବାସୀଙ୍କ ପ୍ରତି ଥିବା ଦାୟିତ୍ୱକୁ ସୁଚାରୁ ରୂପେ ତୁଲାଇ ଆସିଛି । ଅନ୍ୟାୟ, ଅତ୍ୟାଚାର ବିରୋଧରେ ଲଢେଇ କରି ସତକୁ ସାମ୍ନାକୁ ଆଣିବା ସହ ଓଡିଶାବାସୀଙ୍କ ପସନ୍ଦ ପାଲଟିଛି କନକ ନ୍ୟୁଜ୍ । ବୈଦ୍ୟୁତିକ ଗଣମାଧ୍ୟମମାନଙ୍କ ମଧ୍ୟରେ ଖବର ପ୍ରସାରଣ ଶୈଳୀରେ ପରିବର୍ତନ ଆଣି ସାଢ଼େ ୪ କୋଟି ଜନତାଙ୍କ ସ୍ୱର ପାଲଟିଛି କନକ ନ୍ୟୁଜ୍ ।
କନକ ଟିଭିରୁ କନକ ନ୍ୟୁଜ୍ । ୧୦ ବର୍ଷର ସଫଳ ଯାତ୍ରା । ରାଜ୍ୟର ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ଏକ ବ୍ରାଣ୍ଡରେ ପରିଣତ ହୋଇଥିବା କନକ ନ୍ୟୁଜ୍ ଆଜି ସଫଳତାର ୧୦ ବର୍ଷ ପାଳନ କରିଛି । ୧୦ ବର୍ଷ ପୂର୍ତ୍ତିର ବିଶେଷ ଉତ୍ସବରେ କନକ ନ୍ୟୁଜର ସଂଘର୍ଷ ଓ ସଫଳତାର ଯାତ୍ରା ବଖାଣିଛନ୍ତି ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ । କନକ ନ୍ୟୁଜ୍ ସବୁବେଳେ ପକ୍ଷଭୁକ୍ତ ହୋଇ ରହିଛି । ତାହା କେବଳ ଓଡିଶାବାସୀଙ୍କ ସ୍ୱାର୍ଥ ପାଇଁ ।

ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଅମର ପଟ୍ଟନାୟକ, ସାଂସଦ ରଞ୍ଜୀବ ବିଶ୍ୱାଳ ଏବଂ ବରିଷ୍ଠ ବିଜେପି ନେତା ଖାରବେଳ ସ୍ୱାଇଁ, କନକ ନ୍ୟୁଜର ସ୍ୱତନ୍ତ୍ର ଉତ୍ସବରେ ବକ୍ତା ଭାବେ ଯୋଗ ଦେଇ କନକ ନ୍ୟୁଜକୁ ସଫଳତାର ଶୁଭେଚ୍ଛା ଜଣାଇଛନ୍ତି । ଏତେ ସମୟ ଧରି ଯେଉଁଠି ଗୋଟିଏ ପରିବାର ତିଷ୍ଠି ପାରୁନି, ସେଇଠି ଏତେ ବଡ ସଂସ୍ଥା ପରିବାର ଭଳି ଚଳାଇବା ପ୍ରଶଂସନୀୟ କାର୍ଯ୍ୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

୧୦ ବର୍ଷର ଯାତ୍ରା ଭିତରେ ଅନେକ ବାଧାବିଘ୍ନ ଓ ଚ୍ୟାଲେଞ୍ଚକୁ ସାମ୍ନା କରିଥିବା କନକ ନ୍ୟୁଜର ଅନେକ ସଫଳତାର ସାକ୍ଷୀ ପାଲଟିଥିବା ରିପୋର୍ଟର, କ୍ୟାମେରାମ୍ୟାନ୍ ଏବଂ ନ୍ୟୁଜ୍ ପ୍ରଡ୍ୟୁସରଙ୍କୁ ସମ୍ମାନିତ କରାଯାଇଛି । ଏଥିସହ ୧୦ ବର୍ଷ ଧରି ସଂସ୍ଥା ସହ ଜଡିତ ଥିବା ସଦସ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯେଉଁମାନେ ଗତ ଗୋଟିଏ ଦଶନ୍ଧି ଧରିି କନକ ନ୍ୟୁଜର ଭୂମିକା ଓ ସ୍ଥିତି ମଜବୁତ୍ କରିବାରେ ବିଶେଷ ଯୋଗଦାନ କରିଛନ୍ତି ।

ପ୍ରଥମ ହେବାର ପ୍ରତିଯୋଗୀତା ମଧ୍ୟରେ କେତେବେଳେ ପ୍ରାଥମିକତାକୁ ପଛରେ ପକାଇନି କନକ ନ୍ୟୁଜ୍ । ଓଡିଶାର ସ୍ୱାର୍ଥ ପାଇଁ, ଓଡିଶାର ସାଢେ ୪ କୋଟି ଲୋକଙ୍କ ପାଇଁ ପକ୍ଷଭୁକ୍ତ ହୋଇଛି । ସଠିକ ସମୟରେ ସଠିକ ଖବର ପହଚାଁଉଛି, ଖବରର ମୂଳ ତତ୍ୱକୁ ସହଜରେ ବୁଝାଇବାରେ ସବୁଠାରୁ ଆଗରେ ରହିଛି କନକ ନ୍ୟୁଜ । ସେଥିପାଇଁ ତ ରାଜ୍ୟର ଅଗଣିତ ଦର୍ଶକଙ୍କ ପାଖରେ ପହଁଚିପାରିଛି ଏବଂ ଆସ୍ଥାଭାଜନ ହୋଇପାରିଛି କନକ ନ୍ୟୁଜ୍ ।

କେବଳ କନକ ନ୍ୟୁଜ୍ ନୁହେଁ ୩୬ ବର୍ଷରେ ପାଦ ଦେଇଛି ଓଡ଼ିଶାର ସର୍ବାଧିକ ପ୍ରସାରିତ ଓଡ଼ିଆ ଦୈନିକ ଖବରକାଗଜ ସମ୍ବାଦ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ହୋଟେଲ ସ୍ୱସ୍ତି ପ୍ରିମିୟମରେ ୩୫ତମ ବାର୍ଷିକ ଉତ୍ସବ ପାଳନ କରୁଛି ସମ୍ବାଦ ପରିବାର । ଏହି ଉତ୍ସବରେ ଭାରତର ବିଖ୍ୟାତ ସାମ୍ବାଦିକ କରନ୍ ଥାପର ମୁଖ୍ୟ ଅତିଥି ଭାବରେ ସାମିଲ ହୋଇଛନ୍ତି । ସେହିପରି ନବଭାରତ ଟାଇମସର ପ୍ରାକ୍ତନ ମୁଖ୍ୟ ସଂପାଦକ ରାମ କ୍ରିପାଲ ସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇଛନ୍ତି । ୧୯୮୪ ମସିହା ଆଜିର ଦିନରେ ଅର୍ଥାତ୍ ଅକ୍ଟୋବର ୪ ତାରିଖରେ ଓଡ଼ିଶା ଖବରକାଗଜ ଜଗତରେ ନୂଆ ବିପ୍ଳବ ନେଇ ଆସିଥିଲା ସମ୍ବାଦ । ଆଉ ଖବର ପ୍ରକାଶନରେ ସମ୍ବାଦ, ବହୁ ନୂଆ ଧାରାର ପଥପ୍ରଦର୍ଶକ ସାଜି ଆସିଛି । ୩୫ ବର୍ଷର ଏହି ଗୌରବମୟ ଯାତ୍ରାରେ ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି ସମ୍ବାଦ । ବହୁ ଝଡଝଞ୍ଜା ସହି ନିରବଚ୍ଛିନ୍ନ ଭାବେ ଓଡିଶାବାସୀଙ୍କ ପାଖରେ ଖବର ପହଂଚାଇ ଆସିଛି ଏବଂ ଆଜି ଘରେ ଘରେ ପରିଚିତ ହୋଇପାରିଛି ସମ୍ବାଦ ।