ରାତିରେ ୨ଟାରେ କଲେ ଫୋନ, ସକାଳୁ ଆସିଲା ୧୦୮ ଆମ୍ବୁଲାନ୍ସ ! ଡେରିରେ ଆସିବାରୁ ଚାଲିଗଲା ରୋଗୀଙ୍କ ଜୀବନ

189

କନକ ବ୍ୟୁରୋ : ଆମ୍ବୁଲାନ୍ସ ବିଳମ୍ବରେ ପହଂଚିବାରୁ ଚିକିତ୍ସାରେ ଅବହେଳାର ଅଭିଯୋଗ ଆପଣମାନେ ଅନେକ ଥର ଶୁଣିଥିବେ । ହେଲେ ଆମ୍ବୁଲାନ୍ସ ନଆସିବାରୁ ରୋଗୀଙ୍କ ମୃତ୍ୟୁ ଘଟିବା ଭଳି ଖବର ସାମ୍ନାକୁ ଆସିଛି । ଆମ୍ବୁଲାନ୍ସ ସାମ୍ନାରେ ମୃତଦେହ ରଖି ପ୍ରତିବାଦ । ଆମ୍ବୁଲାନ୍ସକୁ ଅଟକାଇ ବିଚ୍ ରାସ୍ତା ଉପରେ ଶବ ରଖି ପ୍ରତିବାଦ ଜଣାଇଛନ୍ତି ମୃତକଙ୍କ ସମ୍ପର୍କୀୟ । । ଆଉ ଦାବି କରିଛନ୍ତି କ୍ଷତିପୂରଣ । କେନ୍ଦ୍ରାପଡା ମହାକାଳପଡା ଅଂଚଳର ଲୁଣିମାଠିଆ ଗାଁରେ ଏଭଳି ଅଭାବନୀୟ ଚିତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅଭିଯୋଗ ଅନୁସାରେ ଟିବି ରୋଗରେ ଆକ୍ରାନ୍ତ ନଖିଆ ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ସମ୍ପର୍କୀୟ ଗତକାଲି ତାଙ୍କୁ ରାମନଗର ପ୍ରାଥମିକ ଚିକିତ୍ସାଳୟ ନେଇଥିଲେ । ହେଲେ ସେଠାରେ ଚିକିତ୍ସା ସମ୍ଭବ ନହେବାରୁ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରିଦେଇଥିଲେ ଡାକ୍ତର । ଆଉ ରୋଗୀଙ୍କୁ ସ୍ଥାନାନ୍ତର ପାଇଁ ୧୦୮ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ କରିବା ପରେ ମଧ୍ୟ ଆସିନଥିଲା ।

ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି ସେମାନେ ରାତି ୨ଟାରୁ ଆମ୍ବୁଲାନ୍ସକୁ ବାରମ୍ବାର ଫୋନ୍ କରିଥିଲେ । ଆଉ ସକାଳୁ ଆମ୍ବୁଲାନ୍ସ ଆସି ପହଂଚିଲା ବେଳକୁ ନଖିଆ ମଲ୍ଲିକଙ୍କ ମୃତ୍ୟୁ ହୋଇସାରିଥିଲା । ତେବେ ଆମ୍ବୁଲାନ୍ସ କର୍ମଚାରୀ କହିଛନ୍ତି ତାଙ୍କୁ ସକାଳ ୭ଟା ୧୮ମିନିଟରେ ଫୋନ୍ ଆସିଥିଲା । ଆଉ ସଙ୍ଗେସଙ୍ଗେ ଆମ୍ବୁଲାନ୍ସ ରୋଗୀଙ୍କ ଗାଁ ଅଭିମୁଖେ ବାହାରିଥିଲା । ୩୫କିଲୋମିଟର ରାସ୍ତା ହୋଇଥିବାରୁ ରୋଗୀଙ୍କ ପାଖରେ ପହଂଚିବାକୁ ପ୍ରାୟ ଘଂଟାଏ ସମୟ ଲାଗିଥିଲା । ତେବେ ରୋଗୀଙ୍କ ମୃତ୍ୟୁ ପାଇଁ ଆମ୍ବୁଲାନ୍ସର ଅବହେଳାକୁ ଦାୟୀ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ । ଶବ ରଖି ଆମ୍ବୁଲାନ୍ସକୁ ଅଟକାଇ ଦେବା ପରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।