୨୪ ଘଣ୍ଟାରେ ରାଜ୍ୟରେ ୧୦୪ ଶିଶୁ ଓ କିଶୋର କରୋନା ପଜିଟିଭ । ୟୁନିସେଫ କହିଲା, ଛୋଟପିଲାଙ୍କୁ ସଂକ୍ରମଣ ସମ୍ଭାବନା କମ୍, ୬୦% ପିଲାଙ୍କ କ୍ଷେତ୍ରରେ ଦେଖାଯାଉନି ଲକ୍ଷଣ ।

192

କନକ ବ୍ୟୁରୋ : ତୃତୀୟ ଲହରରେ ଅଧିକ ଶିଶୁ ସଂକ୍ରମିତ ହେବେ ବୋଲି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ଆଉ ଦେଶର ବିଭିନ୍ନ ରାଜ୍ୟରେ ଶିଶୁ ଓ କିଶୋର ସଂକ୍ରମିତ ହେବା ଖବର ଆସିବା ପରେ ଓଡିଶା ସରକାର ମଧ୍ୟ ତଥ୍ୟ ଦେବା ଆରମ୍ଭ କରିଛନ୍ତି । ତଥ୍ୟ ଆସିବା ପରେ ଚିନ୍ତା ବଢ଼ିବାରେ ଲାଗିଛି । ଗତ ୨୪ଘଣ୍ଟା ଭିତରେ ରାଜ୍ୟରେ ୧୦୪ ଜଣ ଶିଶୁ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସେପଟେ ୟୁନିସେଫ କହିଛି ଛୁଆ ସଂକ୍ରମିତ ହେବାର ସମ୍ଭାବନା କମ ।

ଚିନ୍ତା ବଢ଼ାଉଛି ୧୮ବର୍ଷରୁ କମ୍ ବୟସ୍କଙ୍କ କରୋନା ସଂକ୍ରମଣ  । ୨୪ ଘଣ୍ଟାରେ ରାଜ୍ୟରେ ୧୦୪ ଶିଶୁ ଓ କିଶୋର ସଂକ୍ରମିତ ଚିହ୍ନଟ  । ତୃତୀୟ ଲହରର ଆଶଙ୍କା ଭିତରେ ଶିଶୁ ଓ କିଶୋରଙ୍କୁ କରୋନା ସଂକ୍ରମଣ ନେଇ ରାଜ୍ୟ ସରକାରଙ୍କ ତଥ୍ୟ ଚିନ୍ତା ବଢାଇବାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ପୁଣି ୧୦୪ ଜଣ ଶିଶୁ ଓ କିଶୋର କରୋନା ସଂକ୍ରମିତ ହୋଇଛନ୍ତି । ଅର୍ଥାତ ଶୂନରୁ ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟ ୧୩୮ ଜଣ ଶିଶୁ ଓ କିଶୋର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଥିଲା ସ୍ୱାସ୍ଥ୍ୟ ବିଭାଗ । ତେବେ ଆକ୍ରାନ୍ତ ହେଲେ ମଧ୍ୟ ଶିଶୁଙ୍କଠାରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉ ନାହିଁ ବୋଲି କହିଛନ୍ତି ଡିଏମଇଟି ।

ବରିଷ୍ଠ ଶିଶୁରୋଗ ବିଶେଷଜ୍ଞଙ୍କ କହିବା କଥା ହେଉଛି ୧୦ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଦେହରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଥାଏ । କିନ୍ତୁ ୧୦ ରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି କ୍ରମଶଃ ହ୍ରାସ ପାଇଥାଏ । ତେଣୁ ଏହି ବର୍ଗ ସତର୍କ ରହିବା ଆବଶ୍ୟକ  ।

ଛୋଟ ପିଲା ଓ କରୋନା ନେଇ ୟୁନିସେଫ ପକ୍ଷରୁ କିଛି ପ୍ରଶ୍ନର ଉତର ଓ ପରାମର୍ଶ ଦିଆଯାଇଛି  । ପିଲାଟି ଯଦି ଅସ୍ୁସ୍ଥ ଥାଏ, ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନିଅନ୍ତୁ । ପିଲାଙ୍କ ପାଖରେ କିଛି ଲକ୍ଷଣ ଦେଖାଦେଲେ ତୁରନ୍ତ ପରୀକ୍ଷା କରନ୍ତୁ । କରୋନାର ସାମାନ୍ୟ ଲକ୍ଷଣ ଥିବା ପିଲାଙ୍କୁ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ କ୍ରମେ ଘରେ ଚିକିତ୍ସା କରାଯାଇପାରେ  । ଯଦି କିଛି ଅଧିକ ଲକ୍ଷଣ ଥାଏ, ପିଲାକୁ ହସ୍ପିଟାଲକୁ ତୁରନ୍ତ ନେବା ଆବଶ୍ୟକ ।