ଭାରତରେ ମୋଦି, ଓଡ଼ିଶାରେ ନବୀନ ! ଇଣ୍ଡିଆନ୍ ଏକ୍ସପ୍ରେସର ଶ୍ରେଷ୍ଠ ଶହେ ଜଣ ପ୍ରଭାବଶାଳୀ ତାଲିକାରେ ୪ ଓଡ଼ିଆ

44

କନକ ବ୍ୟୁରୋ : ଇଣ୍ଡିଆନ୍ ଏକ୍ସପ୍ରେସ ଦେଶର ଶ୍ରେଷ୍ଠ ୧୦୦ ଜଣ ପ୍ରଭାବଶାଳୀଙ୍କ ତାଲିକା ପ୍ରକାଶ କରିଛି । ଯେଉଁଥିରେ ସ୍ଥାନ ପାଇଛନ୍ତି ୪ ଜଣ ଓଡିଆ । ତାଲିକାର ତୃତୀୟରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର ଥିବା ବେଳେ ୩୦ ନମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୩୨ ତମ ସ୍ଥାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ୪୪ତମ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପି.କେ ମିଶ୍ର ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସବୁଠୁ ପ୍ରଭାବଶାଳୀ ବ୍ୟକ୍ତି । ଜାତୀୟ ଖବର କାଗଜ ଇଣ୍ଡିଆନ୍ ଏକ୍ସପ୍ରେସ୍ ଦ୍ୱାରା ଜାରି ଦେଶର ଶହେ ଜଣ ପ୍ରଭାବଶାଳୀ ତାଲିକାରେ ମୋଦିଙ୍କୁ ମିଳିଛି ପ୍ରଥମ ସ୍ଥାନ । ଦ୍ୱିତୀୟରେ ରହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଇଣ୍ଡିଆନ୍ ଏକ୍ସପ୍ରେସ ତାଲିକାର ତୃତୀୟ ସ୍ଥାନରେ ଜଣେ ଓଡିଆଙ୍କୁ ସ୍ଥାନ ଦେଇଛି । ସେ ହେଉଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର । ଚତୁର୍ଥରେ ରହିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖିଆ ମୋହନ ଭାଗବତ୍ । ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପଂଚମ ସ୍ଥାନ ମିଳିଥିବା ବେଳେ ଷଷ୍ଠ ସ୍ଥାନରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସପ୍ତମରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ, ଅଷ୍ଟମରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ନବମରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଲିକାର ଦଶମ ସ୍ଥାନରେ ରହିଛନ୍ତି ରିଲାୟନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩୦ ତମ ସ୍ଥାନରେ ରଖିଛି ଏହି କ୍ଷମତାଶାଳୀଙ୍କ ତାଲିକା । ଏଥିରେ କୁହାଯାଇଛି ୧୭ ବର୍ଷ ମଧ୍ୟରେ ନବୀନ ବାବୁ ୪୪ ଜଣ ମନ୍ତ୍ରୀଙ୍କୁ ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗରେ ବିଦା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୩୨ ତମ ସ୍ଥାନ ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ପିକେ ମିଶ୍ରଙ୍କୁ ୪୪ ନମ୍ବର ସ୍ଥାନରେ ରଖିଛି ଇଣ୍ଡିଆନ୍ ଏକ୍ସପ୍ରେସ । ଇଣ୍ଡିଆନ୍ ଏକ୍ସପ୍ରେସ ଜାରି କରିଥିବା ଶ୍ରେଷ୍ଠ ଶହେ ତାଲିକାରେ କିନ୍ତୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ଥାନ ମିଳିନାହିଁ । ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକାଦଶ ସ୍ଥାନ ମିଳିଛି ।