ଆଜି ଚାଷୀ ଆନ୍ଦୋଳନକୁ ପୂରିଲା ଶହେ ଦିନ : ଚାଷୀ ଆନ୍ଦୋଳନ ଲମ୍ବା ସମୟ ଧରି ଜାରି ରହିବ ବୋଲି କହିଲେ ଟିକାୟତ

ସରକାର ଓ ଚାଷୀଙ୍କ ମଧ୍ୟରେ ୧୧ ରାଉଣ୍ଡ ଆଲୋଚନାରୁ ଏଯାଏଁ ବାହାରିପାରିଲାନି ସମାଧାନର ବାଟ

140

କନକ ବ୍ୟୁରୋ : ଆଜି ଚାଷୀ ଆନ୍ଦୋଳନକୁ ଶହେ ଦିନ ପୂରିଲା । ଏ ଅବସରରେ କିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଇଁ ଯୋଜନା କରିଛନ୍ତି ଆନ୍ଦୋଳନକାରୀ ଚାଷୀ । ଏସବୁ ଭିତରେ ଚାଷୀ ନେତା ରାକେଶ ଟିକାୟତଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ଚାଷୀ ଆନ୍ଦୋଳନ ଲମ୍ବା ସମୟ ଧରି ଜାରି ରହିବ । ସରକାର ଦାବି ନମାନିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାୟତ ।

ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ନଭେମ୍ବର ୨୬ରୁ ଆନ୍ଦୋଳନ କରିଆସୁଛନ୍ତି । ମୁଖ୍ୟତ ଦିଲ୍ଲୀ ନିକଟ ଗାଜିପୁର, ଟିକିରି ଓ ସିଂଘୁ ସୀମାନେ ଏହି ଆନ୍ଦୋଳନ ଚାଲିଛି । ବିଶେଷକରି ପଞ୍ଜାବ ଓ ହରିୟାଣାର ଚାଷୀମାନେ ଏଠାରେ ଆନ୍ଦୋଳନ କରୁଛନ୍ତି । ସରକାର ଓ ଚାଷୀଙ୍କ ମଧ୍ୟରେ ୧୧ ରାଉଣ୍ଡ ଆଲୋଚନା ହୋଇସାରିଥିଲେ ବି କୌଣସି ସମାଧାନ ବାହାରି ପାରି ନାହିଁ । ନୂଆ କୃଷି ଆଇନ ପ୍ରତ୍ୟାହାର ପାଇଁ ଆନ୍ଦୋଳନକାରୀ ଦାବି ଆସୁଥିବା ବେଳେ ଏଥିପାଇଁ ସରକାର ରାଜି ନୁହଁନ୍ତି । ତେବେ ୧୮ ମାସ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିବା ବେଳେ ଆନ୍ଦୋଳନକାରୀ ଏହାକୁ ଗ୍ରହଣ କରି ନଥିଲେ ।

ଆଗାମୀ ୮ ତାରିଖ ଦିନ ଦେଶବ୍ୟାପୀ ଧାରଣାସ୍ଥଳଗୁଡ଼ିକରେ ମହିଳାମାନେ ଆନ୍ଦୋଳନକୁ ପରିଚାଳନା କରିବେ । ଏହି ଦିବସକୁ ମହିଳା କୃଷକ ଦିବସ ଭାବେ ପାଳନ କରାଯିବ । ଅନ୍ୟପକ୍ଷରେ ନୂଆ କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର କରିବା ପ୍ରଶ୍ନ ଉଠୁନାହିଁ ବୋଲି ମଧ୍ୟ ସରକାର ପୂର୍ବରୁ ସ୍ପଷ୍ଟ କରିଛନ୍ତି । ଚାଷୀ ନେତାମାନେ ଜିଦ୍‌ ଛାଡ଼ି ଆଇନରେ ସଂଶୋଧନ ପ୍ରସ୍ତାବ ଦେଲେ ଏହା ବିଚାର କରାଯିବ ବୋଲି ସରକାର କହିଛନ୍ତି ।