ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା: ୧୦ ମୃତ, ଏବେ ବି ଅନେକ ନିଖୋଜ

170

କନକ ବ୍ୟୁରୋ: ଜାମ୍ମୁ-କାଶ୍ମୀରର ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ହୋଇଛି । ଏଥିରେ ୧୦ ଜଣ ପ୍ରାଣ ହରାଇଛନ୍ତି । ଅନେକ ଲୋକ ନିଖୋଜ ଅଛନ୍ତି । ଏନଡିଆରଏଫ, ଏସଡିଆରଏଫ ଓ ଆଇଟିବିପିର ଯବାନ ଉଦ୍ଧାର କାମରେ ସାମିଲ ହୋଇଛନ୍ତି । ବାଦଲ ଫାଟିବା ପରେ ପାଣି ଅମରନାଥ ଗୁମ୍ଫା ନିକଟରେ ଥିବା ଟେଂଟକୁ ଧୋଇନେଇଥିଲା । ଏଥିରେ ଭକ୍ତମାନେ ଆଶ୍ରୟ ନେଇଥିଲେ । ଏହାପରେ ଅମରନାଥ ଦର୍ଶନରେ ଯାଇଥିବା ଭକ୍ତଙ୍କ ମଧ୍ୟରେ ହାହାକାର ସୃଷ୍ଟି ହୋଇଥିଲା । ବାଦଲ ଫଟା ବର୍ଷା ଯୋଗୁଁ ଅନେକ ଭାସିଯାଇଥିଲେ । ଅମରନାଥ ଦର୍ଶନ ଆରମ୍ଭ ହେବା ପରେ ପ୍ରାୟ ୮ରୁ ୧୦ ହଜାର ଲୋକ ଦର୍ଶନ ପାଇଁ ଯାଇଛନ୍ତି । ଅମରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଥିବାବେଳେ ଏଭଳି ଦୁର୍ଘଟଣା ଘଟିଛି । ତେବେ ପାଗ ଖରାପ ଥିବାରୁ ଉଦ୍ଧାର କାମ ବାଧାପ୍ରାପ୍ତ ହୋଇଛି ।

ଏହାଛଡା ସେଠାକାର ଭୌଗଳିକ ସ୍ଥିତି ଓ ଉଚ୍ଚତା ଯୋଗୁଁ ଉଦ୍ଧାରକାରୀ ଟିମ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ପାଣି ଯୋଗୁଁ ୩୦ରୁ ୪୦ ଟେଂଟ ଭାସିଯାଇଥିବା ଅନୁମାନ କରାଯାଉଛି । ହଠାତ ବାଦଲ ଫାଟିବା ଯୋଗୁଁ ପଣିର ପ୍ରକୋପ ବଢିଯାଇଥିଲା ଓ ଲୋକେ ଭାସିଯାଇଥିଲେ । ଏହି ଘଟଣା ପରେ ଅମରନାଥ ଯାତ୍ରାକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଗୁମ୍ଫା ନିକଟରେ ଏବେ ବି ବର୍ଷା ହେଉଛି । ଆହତଙ୍କୁ ଏୟାରଲିଫଟ କରାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉଦ୍ଧାର କାମରେ ହେଲିକପ୍ଟରର ସହାୟତା ନିଆଯାଉଛି । ପାଗ ଅନୁକୂଳ ହେଲେ ଯାତ୍ରା ପୁଣି ଆରମ୍ଭ ହେବ ବୋଲି ପ୍ରଶାସନ କହିଛି । ଗତ ମାସ ୩୦ ତାରିଖରୁ ହିଁ ୪୩ ଦିନିଆ ଅମରନାଥ ଯାତ୍ରା ଆରମ୍ଭ ହୋଇଥିଲା । ବର୍ତମାନ ସୁଦ୍ଧା ପ୍ରାୟ ୭୦ ହଜାର ଲୋକ ବାବା ଅମରନାଥଙ୍କ ଦର୍ଶନ କରିସାରିଲେଣି । ୪୩ ଦିନ ଧରି ଚାଲିବାକୁ ଥିବା ଅମରନାଥ ଯାତ୍ରା ୧୧ ଅଗ୍ଷ୍ଟରେ ଶେଷ ହେବ । ସୂଚନା ଅନୁସାରେ, ଗୁମ୍ଫା ନିକଟରେ ୮୦ରୁ ୧୦୦ ଟେଂଟ ଥିଲା । ଘଟଣା ନେଇ ପ୍ରଧାନମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।