ଉପକୃତ ହେବେ କୃଷକ ! ରାଜ୍ୟରେ କୃଷି କ୍ଷେତ୍ରରେ ନିବେଶ କରିବେ ୧୦ ସଂସ୍ଥା

121

କନକ ବ୍ୟୁରୋ : ରାଜ୍ୟର କୃଷି ଓ ତତ୍‌ ସଂକ୍ରାନ୍ତୀୟ କ୍ଷେତ୍ରରେ ପୁଞ୍ଜିନିବେଶ କରିବାକୁ ୧୦ଟି ସଂସ୍ଥା ଆଗ୍ରହ ପ୍ରକାଶ କରିଛନ୍ତି । ସେହି ସଂସ୍ଥାଗୁଡ଼ିକ ହେଉଛି ପ୍ରିମିୟର ଇରିଗେସନ୍‌, କେଭେଣ୍ଟର ଆଗ୍ରୋ, ସାମ୍‌ଭି ହାଇ-ଫ୍ରେସ୍‌ ଫୁଡ୍‌ସ, ତିରୁପତି ଏକ୍ସପୋର୍ଟସ, ଡାଇନାମିକ୍‌ ଏଗ୍ରି କନ୍‌ସଲ୍‌ଟାଣ୍ଟସ୍‌, ସଫଳ ଓ ଆରେଞ୍ଜଫ୍ରେସ୍‌ ଡଟ୍‌ କମ୍‌ । ପ୍ରିମିୟର ଇରିଗେସନ୍‌ ରାଜ୍ୟରେ ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରିବାକୁ ଚାହୁଁଛି । କେଭେଣ୍ଟର୍‌ ଆଗ୍ରୋ ରାଜ୍ୟରେ ୟୁଏଚ୍‌ଡି ଦୁଗ୍ଧ ପରିକଳ୍ପନା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ବାଲେଶ୍ବର ଭଳି ଜିଲ୍ଲାରୁ ପନିପରିବା, ଫଳ ଆଦି ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ।

ଏହା ବ୍ୟତୀତ ରାୟଗଡ଼ା କିମ୍ବା ଖୋର୍ଦ୍ଧାରେ କଂପାନି ଏକ ୟୁନିଟ୍ ସ୍ଥାପନ କରିବାକୁ ଚାହୁଁଛି । ସାମ୍‌ଭି ହାଇଫ୍ରେସ୍‌ ଫୁଡସ୍‌ ଏକ ଜଳବାୟୁ ନିୟନ୍ତ୍ରଣକାରୀ ଗୋଦାମ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି । ଅହମ୍ମଦାବାଦର ତିରୁପତି ଏକ୍ସପୋର୍ଟସ୍‌ ସୌର ଶକ୍ତି ଚାଳିକ ଆଇସ୍‌ ଚାମ୍ବର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି । ସେହିପରି ଅହମ୍ମଦାବାଦର ଅନ୍ୟ ଏକ ସଂସ୍ଥା ଡାଇନାମିକ୍ ଏଗ୍ରି କନ୍‌ସଲ୍‌ଟାଣ୍ଟ୍‌ ଏକ ସ୍ନାକ୍ସ ପ୍ରୋସେସିଂ ୟୁନିଟ୍ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଛି । ଉଦ୍ୟାନଫ୍ରେସ୍‌ ସହିତ ସହଯୋଗିତା ସ୍ଥାପନ କରିବାକୁ ସଫଲ୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ସେହିପରି ଫେନ୍‌କୋ ଫୁଡ୍ ମେସିନାରି ନାମକ ସଂସ୍ଥା ରାଜ୍ୟରେ ଏକ ଆର୍‌ଆଣ୍ଡଡି କେନ୍ଦ୍ର ସ୍ଥାପନ କରିବାକୁ ଚାହୁଁଛି ।

ଏହି ସବୁ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ରାଜ୍ୟ ସରକାର ଏକ ବି୨ବି ବୈଠକରେ ଆଲୋଚନା କରିଥିଲେ । ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍ ଠାରେ ଆୟୋଜନ କରାଯାଇଥିବା ଟପ୍ (ଟମାଟୋ, ପିଆଜ ଓ ଆଳୁ) ଏକ୍ସପୋ ଓ ସମ୍ମିଳନୀ ଅବସରରେ ଏହି ବୈଠକ ଆୟୋଜନ କରାଯାଇଥିଲା। ଆଜି ଏହି କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଏମ୍ଏସ୍‌ଏମ୍ଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଅସିତ୍ ତ୍ରିପାଠୀ, କୃଷି ମାର୍କେଟିଂ ନିର୍ଦେଶକ ରବିନ୍ଦ୍ର କୁମାର ସିଂହ, ଏମ୍ ମୁଥୁକୁମାର ଏବଂ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସର ଜେ କେ ମହାନ୍ତି ଓ ଶ୍ରୀରାମ ପଣ୍ଡା ଉପସ୍ଥିତ ଥିଲେ ।