ମାଆ ବିରଜାଙ୍କୁ ଦର୍ଶନ କରି ଫେରୁଥିଲେ ବାପା, ମା’, ଝିଅ ଆଉ ପୁଅ : ଉପରେ ଭାଙ୍ଗିପଡିଲା ଗଛ, ଚାଲିଗଲା କୁନି ପୁଅର ଜୀବନ

365

କନକ ବ୍ୟୁରୋ :  ମାଆ ବିରଜାଙ୍କ ଦର୍ଶନ କରି ଫେରିବା ବେଳେ ଅଘଟଣ । ଚଳନ୍ତା ବାଇକ ଉପରେ ଗଛ ପଡିଯିବାରୁ ଜଣେ ନାବାଳକର ମୃତ ଓ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଯାଜପୁର ଟାଉନ ଥାନା ଅଧିନ ଯୋଡିକୁଅ ଛକରେ ଏହି ଦୁଃଖଦ ଘଟଣା ଘଟିଛି ।

ସୂଚନା ଅନୁସାରେ, ଭଦ୍ରକ ଅଂଚଳର ବାପା, ମାଆ, ଭାଇ, ଭଉଣୀ ଏକ ବାଇକରେ ମାଆ ବିରଜାଙ୍କ ଦର୍ଶନ ସାରି ଫେରୁଥିଲେ । ରାସ୍ତା ଉପରେ ଏକ ଗଛକୁ ସେହି ସମୟରେ କଟାଯାଉଥିଲା । ବାଇକ ଗଛ ତଳେ ଅତିକ୍ରମ କରୁଥିବା ବେଳେ ବାଇକ ଉପରେ ଗଛ ଖସିପଡିଥିଲା । ଦୁର୍ଘଟଣାରେ ଜଣେ ୭ ବର୍ଷ ନାବାଳକର ମୃତ୍ୟୁ ହୋଇଥିବା ବେଳେ ବାପା, ମାଆ ଓ ସାନ ଭଉଣୀ ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଯୋଡିକୁଅ ଛକରେ ଉତେଜନା ସୃଷ୍ଟି ହୋଇଛି । ଉତ୍ୟକ୍ତ ଲୋକେ ନିଆଁ ଜାଳି ରାସ୍ତାରୋକ କରିଛନ୍ତି । ଅନ୍ୟପଟେ ରାସ୍ତା ଉପର ଗଛକୁ ବେଆଇନ ଭାବେ ବିନା ଅନୁମତିରେ କଟାଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି ।