ଅର୍ଥନୀତିରେ କରୋନା ମାଡ଼ ପରେ ଭଣ୍ଡାର ଖୋଲିଦେଲା ଆମେରିକା । ଲୋକଙ୍କୁ ବାଂଟିଦେଲେ ୧୪୦ ଲକ୍ଷ କୋଟି ଟଙ୍କା ।

337

କନକ ବ୍ୟୁରୋ: ଗୁରୁବାର ଦିନ ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ୍ କୋଭିଡ୍ ପରବର୍ତୀ ସ୍ଥିତିର ମୁକାବିଲା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସାରା ବିଶ୍ୱକୁ ଚମକାଇ ଦେଇଛି । ଏଥିପାଇଁ ବାଇଡେନ୍ ପ୍ରଶାସନ ୧.୯ ଟ୍ରିଲିଅନ୍ ଡଲାରର ସହାୟତା ପ୍ୟାକେଜ ଘୋଷଣା କରିଛି । ଭାରତୀୟ ମୁଦ୍ରା ହିସାବରେ ଏହାର ପରିମାଣ ପ୍ରାୟ ୧୪୦ ଲକ୍ଷ କୋଟି ଟଙ୍କା । ଆପଣ ଅନୁମାନ କରନ୍ତୁ ଆମ ଦେଶର ବାର୍ଷିକ ବଜେଟ୍ ପରିମାଣ ହେଉଛି ୨୬ ଲକ୍ଷ କୋଟି ଟଙ୍କା । କରୋନାର ମୁକାବିଲା ପାଇଁ ଆମେରିକାରର ବିଶାଳ ପ୍ୟାକେଜ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି ।

ଏହି ବିଲରେ ଥିବା କେତେକ ପ୍ରମୁଖ ଦିଗ ଉପରେ ନଜର ପକାଇବା ..
• ବେରୋଜଗାର ବ୍ୟକ୍ତିଙ୍କୁ ପ୍ରତି ସପ୍ତାହରେ ୩୦୦ ଡଲାର ଅର୍ଥାତ ପ୍ରାୟ ୨୨ ହଜାର ଟଙ୍କାର ସହାୟତା ଦିଆଯିବ ।
• ପ୍ରତି ଆମେରିକୀୟ ଏବଂ ସେମାନଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିଙ୍କୁ ସିଧାସଳଖ ୧୪୦୦ ଡଲାର ବା ପ୍ରାୟ ୧ ଲକ୍ଷ ଟଙ୍କା ଦିଆଯିବ ।   ତେବେ ତାଙ୍କର ଆୟ ୮୦ ହଜାର ଡଲାରରୁ କମ୍ ରହିଥିବା ଆବଶ୍ୟକ ।
• କୋଭିଡ୍ ଟିକା ପ୍ରସ୍ତୁତି ଏବଂ ବିତରଣ ପାଇଁ ୨୦ ବିଲିଅନ୍ ଡଲାର ଅର୍ଥାତ ୧ଲକ୍ଷ ୪୫ ହଜାର କୋଟି ଟଙ୍କା ଖର୍ଚ୍ଚ ପାଇଁ ଯୋଜନା ରହିଛି ।
• ଟେଷ୍ଟ ଓ କଂଟ୍ରାକ୍ଟ ଟ୍ରେସିଂ ପାଇଁ ୫୦ ବିଲିଅନ୍ ଡଲାର ବା ୩ଲକ୍ଷ ୬୪ ହଜାର କୋଟି ଟଙ୍କା ରହିଛି ।
• ରେଷ୍ଟୁରାଂଟ ଗୁଡିକୁ ପ୍ରୋତ୍ସାହନ କରିବା ପାଇଁ ୩୦ ମିଲିଅନ୍ ଡଲାର ରଖାଯାଇଛି ।
• ସ୍କୁଲମାନଙ୍କ ପାଇଁ ୧୨୦ ମିଲିଅନ୍ ଡଲାରରୁ ଅଧିକ ଅର୍ଥ ରଖିଛନ୍ତି ବାଇଡେନ୍ ପ୍ରଶାସନ ।

ଏହାଛଡା ଅତିରିକ୍ତ ପୁଷ୍ଟିକର ଖାଦ୍ୟ ସହାୟତା କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟବୀମା, କର୍ମଚାରୀଙ୍କୁ ଛଟେଇରୁ ବଂଚାଇବା ପାଇଁ କମ୍ପାନୀକୁ ସହାୟତା ପରି କେତେକ ବ୍ୟବସ୍ଥା ଏହି ଆଇନ୍ରେ ରହିଛି । ବିଶ୍ୱର ଅନେକ ଦେଶର ବାର୍ଷିକ ବଜେଟ୍ ଠାରୁ ବି ବେଶ୍ ଅଧିକ ବାଇଡେନ୍ଙ୍କ ଏହି ଷ୍ଟିମୁଲସ୍ ପ୍ୟାକେଜ । ଆମେରିକା ତଥା ବିଶ୍ୱର ଏହା ସବୁଠାରୁ ବଡ ଘୋଷଣା ବୋଲି କୁହାଯାଉଛି ।