ହରିଦ୍ୱାର କୁମ୍ଭରେ ଆକର୍ଷଣ ସାଜିଛନ୍ତି ବାମନ ବାବା । ବୟସ ୫୫ କୁ ଉଚ୍ଚତା ୧୮ ଇଞ୍ଚ

କୁମ୍ଭମେଳାରେ ଦେଢ ଫୁଟିଆ ବାବା

349

କନକ ବ୍ୟୁରୋ : ହରିଦ୍ୱାରରେ କୁମ୍ଭ ପାଇଁ ସାରା ଦେଶରୁ ନାଗା ସନ୍ୟାସୀଙ୍କ ସହ ଏବେ ଅନେକୁ ସାଧୁଙ୍କ ଆଗମନ ହୋଇଛି । ହେଲେ ଏହି ମେଳାରେ ଆକର୍ଷଣ ସାଜିଛନ୍ତି ସନ୍ଥ ସ୍ୱାମୀ ନାରାୟଣ ନନ୍ଦ । ସନ୍ଥଙ୍କ ଉଚ୍ଚତାକୁ ନେଇ ଏବେ ସେ ବେସ୍ ଆଲୋଚିତ ।

ଦେଶର ସବୁଠାରୁ ବଡ ମେଳାଭାବେ କୁମ୍ଭମେଳାକୁ ଗଣନା କରାଯାଏ । ଏହି ମେଳାରେ ଦେଶ ତଥା ଦେଶ ବାହାରୁ ଅନେକ ସାଧୁ ସନ୍ଥଙ୍କର ଆଗମନ ହୋଇଥାଏ । ବିଭିନ୍ନ ବେଶଭୂଷା, ଚାଲି ଚଳଣି ଓ ଆଧ୍ୟାତ୍ମିକ ମାର୍ଗର ଜୀବନ ଶୈଳିକୁ ନେଇ ସାଧୁ ସନ୍ଥମାନେ ଚର୍ଚ୍ଚିତ ହୋଇଥାନ୍ତି । ହେଲେ ଏଥର କୁମ୍ଭମେଳାରେ ଲୋକଙ୍କର ଆକର୍ଷଣ ସାଜିଛନ୍ତି ସନ୍ଥ ସ୍ୱାମୀ ନାରାୟଣ ନନ୍ଦ । ସେ ତାଙ୍କର ଉଚ୍ଚତାକୁ ନେଇ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କୁହାଯାଉଛି ସେ ଦୁନିଆର ସବୁଠାରୁ ଛୋଟ ନାଗା ସନ୍ୟାସୀ ଅଟନ୍ତି । ଏହି କାରଣରୁ ଲୋକମାନେ ତାଙ୍କଠାରୁ ଆର୍ଶିବାଦ ନେବାକୁ ଉତ୍ସାହର ସହ ତାଙ୍କ ପାଖରେ ପହଂଚିଯାଉଛନ୍ତି । ଏବେ ବାବା ଜଣଙ୍କ ଜୁନା ଆଖଡାର ଛାବନୀ ନିକଟରେ ଥିବା ଦୁଖହରଣ ହନୁମାନ ମନ୍ଦିର ନିକଟରେ ରହୁଛନ୍ତି ।

୫୫ ବର୍ଷିୟ ଏହି ନାଗା ସନ୍ୟାସୀଙ୍କ ଉଚ୍ଚତା ମାତ୍ର ୧୮ ଇଞ୍ଚ ବା ଦେଢ ଫୁଟ୍ ଓ ଓଜନ ୫୦ କିଲୋ । ସ୍ୱାମୀ ନାରାୟଣ ସ୍ୱାମୀ ଚାଲିପାରନ୍ତି ନାହିଁ । ତାଙ୍କର ନିତ୍ୟକର୍ମ ପାଇଁ ସହାୟକଙ୍କ ଆବଶ୍ୟକତା ପଡିଥାଏ । ସେ ଦୈନିକ ଭୋଜନରେ ଗୋଟିଏ ରୁଟି ଓ କ୍ଷୀର ଖାଉଥିବା ବେଳେ ସର୍ବଦା ପୁରା ଲୟରେ ଭଜନ କରୁଥିବା ଦେଖିବାକୁ ମିଳିଥାଏ ।

ସ୍ୱାମୀ ନରାୟଣ ନନ୍ଦ ଝାନସୀର ମୂଳନିବାସୀ । ସେ ୨୦୧୦ ମସିହାରେ ହରିଦ୍ୱାରରେ ଥିବା ଜୁନାଗଡ ଆସିଥିଲେ । ସେ ନାଗା ସନ୍ୟାସୀ ଭାବେ ଦୀକ୍ଷିତ ହୋଇଛନ୍ତି । ସନ୍ୟାସୀ ହେବା ପୂର୍ବରୁ ତାଙ୍କର ନାମ ସତ୍ୟନାରାୟଣ ପାଠକ ଥିଲା । ସନ୍ୟାସ ଗ୍ରହଣ କରିବା ପରେ ତାଙ୍କ ନାମ ସ୍ୱାମୀ ନାରାୟଣ ନନ୍ଦ ହୋଇଛି ଓ ସେ ଭଗବାନ ଶିବଙ୍କ ଠାରେ ନିଜକୁ ସମର୍ପିତ କରିଦେଇଛନ୍ତି ।

ସ୍ୱାମୀ ନାରାୟଣ ନନ୍ଦ କହିଛନ୍ତି କି ‘ମୋର ପୁରାନାମ ନାରାୟଣ ନନ୍ଦ ବାବନ ଭଗବାନ, ମୁଁ ଜୁନାଗଡର ନାଗା ବାବା, ୨୦୧୦ ମସିହାରେ ଏହି କୁମ୍ଭମେଳାରେ ମୁଁ ନାଗାସାଧୁ ଭାବେ ଦିକ୍ଷୀତ ହୋଇଥିଲି, ମୋ ଗୁରୁଙ୍କ ନାମ ଗଙ୍ଗାନନ୍ଦଜୀ ଓ ତାଙ୍କ ଗୁରୁଙ୍କ ନାମ ଆନନ୍ଦ ଗିରି ଅଟେ’