ରାତି ବଢୁଛି, ଚାଲେଞ୍ଜ ବଢୁଛି… ଅନ୍ଧାର ଭିତରେ ଅପରେସନ ‘ଜ୍ୟୋର୍ତିମୟ’

455

କନକ ବ୍ୟୁରୋ: ରାତି ବଢୁଛି, ଚାଲେଞ୍ଜ ବଢୁଛି… ଅନ୍ଧାର ରାତିରେ ଅପରେସନ କରିବା ମୁସ୍କିଲ ହେଉଛି । ଭୁବନେଶ୍ୱର ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀ ସ୍ଥିତ ଡ୍ରେନ ପାଣିରେ ଛାତ୍ର ଭାସିଯିବାକୁ ପାଖାପାଖି ସାଢେ ୩ ଘଣ୍ଟାରୁ ୪ ଘଣ୍ଟା ହେଲାଣି ତଥାପି ଏଯାଏଁ ଛାତ୍ର ଜ୍ୟୋତିର୍ମୟ ବେହେରାଙ୍କର କୌଣସି ଖୋଜ ଖବର ମିଳୁନି । ଇତି ମଧ୍ୟରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ଅଧିକ ଟିମ ଆସି ପୋଲ ତଳେ ସର୍ଚ୍ଚ ଅପରେସନ ଚଳାଇଛନ୍ତି । ରାତି ବଢୁଥିବାରୁ ଅନ୍ଧାର ବଢୁଛି ଆଉ ନିଖୋଜ ଛାତ୍ରଙ୍କୁ  ପାଣିଭିତରୁ ଖୋଜିବାକୁ ମୁକ୍ସିଲ ହେଉଛି । ଯେଉଁଥିପାଇଁ ଟର୍ଚ୍ଚ ଲାଇଟ ମାରି ପୋଲ ତଳେ ଜୋରଦାର କରାଯାଉଛି ଅପରେସନ ।

ଗୋଟେ ପଟେ ନାଳ ଭିତରେ ପୁଅକୁ ଖୋଜିବାକୁ ପୋଲିସ ଓ ଅଗ୍ନିଶମ ବାହିନୀ ପ୍ରାଣମୂର୍ଚ୍ଚା ଉଦ୍ୟମ କରୁଥିବା ବେଳେ ଏପଟେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକେ । ଭାସିଯାଇଥିବା ପୁଅକୁ ପାଣିରୁ ଦେବଦୂତମାନେ ବଞ୍ଚାଇଆଣିବେ । ପାଣି ସୁଅରୁ ସେମାନଙ୍କ ସୁନାପୁଅକୁ ସୁରକ୍ଷିତ ଉଦ୍ଧାର କରିବେ । ଏଇ ଆଶା ନେଇ ଅପେକ୍ଷାରେ ରହିଛନ୍ତି ବାପାମାଆ ।

ପରିବାର ଲୋକେ ଘଟଣାକୁ ଆଦୌ ବିଶ୍ୱାସ କରିପାରୁନାହାନ୍ତି । କେମିତି ହଠାତ ଏମିତି ଘଟଣା ଘଟିଗଲା କହିବାବେଳକୁ ସେମାନଙ୍କ ଆଖିରେ ଲୁହ ଆସିଯାଉଛି । ଜ୍ୟୋର୍ତିମୟଙ୍କୁ ପୁରା ପରିବାର ଖୁବ ଆଦର କରନ୍ତି । ସେମାନେ ଜାଣିପାରୁନାହାନ୍ତି କଣ କରିବେ । ସେପଟେ  ରାଜନୈତିକ ଦଳର ନେତା ଓ କର୍ମୀ ଆନ୍ଦୋଳନରେ ବି ବସିଯାଇଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି, ବିଏମସିର ଅବହେଳା କାରଣରୁ ଏଭଳି ଘଟଣା ଘଟିଲା । ୟାରି ଭିତରେ ଜ୍ୟୋର୍ତିମୟଙ୍କ କୌଣସି ପତ୍ତା ମିଳିନାହିଁ ।