ଭାରତର ଶେଷ ରାସ୍ତା ଧନୁଷକୋଡି । ଲୋକଙ୍କ ବିଶ୍ୱାସ ଅନୁସାରେ ଏଇଠି ରହିଛି ରାମସେତୁ । ଜାଣନ୍ତୁ, ଏହାର ଇତିହାସ

517

କନକ ବ୍ୟୁରୋ : ଆମ ଦେଶରେ ଏଭଳି କିଛି ଜାଗା ରହିଛି ଯାହା ବିଷୟରେ ଖୁବ କମ ଲୋକ ଜାଣିଥିବେ । ଏମିତି ଏକ ସ୍ଥାନ ହେଉଛି ଧନୁଷକୋଡି । ତାମିଲନାଡୁର ସମୁଦ୍ରକୂଳରେ ଏହି ସ୍ଥାନ ଅବସ୍ଥିତ । ଏଠାରେ ଏକ ରାସ୍ତା ରହିଛି ଯାହାକୁ ଦେଶର ଶେଷ ରାସ୍ତା ବୋଲି କୁହାଯାଏ । ଏହି ସ୍ଥାନରୁ ଶ୍ରୀଲଙ୍କା ମଧ୍ୟ ଦେଖାଯାଇଥାଏ । କାରଣ ଧୋନୁଷକୋଡିରୁ ଶ୍ରୀଲଙ୍କାର ଦୂରତା ମାତ୍ର ୨୪ କିଲୋମିଟର ।

ତାମିଲନାଡୁର ରାମେଶ୍ୱରମଠାରୁ ୧୮ କିଲୋମିଟର ଆଗକୁ ଯିବା ପରେ ସମୁଦ୍ର ମଝିରେ ଏକ ପତଳା ରାସ୍ତା ଯାଇଛି । ଯାହାକୁ ଧନୁଷକୋଡି ବୋଲି କୁହାଯାଉଛି । ଏହାସହ ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନ ଶ୍ରୀରାମ ଏଠାରେ ରାମସେତୁ ନିର୍ମାଣ କରିଥିଲେ । ଯାହାର ପ୍ରମାଣ ସାଟେଲାଇଟ ଚିତ୍ରରୁ ସାମ୍ନାକୁ ଆସିଛି । ଏ ତ ଥିଲା ହଜାର ବର୍ଷ ପୁରୁଣା ଧନୁଷକୋଡିର ଇତିହାସ । ହେଲେ ଏହି ଧନୁଷକୋଡିର ଆଉ ଏକ ଇତିହାସ ମଧ୍ୟ ରହିଛି ଯାହା ମାତ୍ର ୫୬ ବର୍ଷ ପୁରୁଣା । ଆସନ୍ତୁ ଜାଣିବା ଏ ବିଷୟରେ ।

ଦିନ ଥିଲା ଧନୁଷକୋଡି ଏକ ଗାଁ ଥିଲା, ଯେଉଁଠି ଦୋକାନ ବଜାର ସହ ଷ୍ଟେସନ, ହୋଟେଲ ଓ ପୋଷ୍ଟ ଅଫିସ ମଧ୍ୟ ରହିଥିଲା । ୧୯୧୪ ମସିହାରେ ଏହି ସ୍ଥାନକୁ ଇଂରେଜମାନେ ବନ୍ଦର ଭାବେ ବିକଶିତ କରିଥିଲେ । ପରେ ଏହା ପର୍ଯ୍ୟଟକଙ୍କ ପାଇଁ ଜନଗହଳିପୂର୍ଣ୍ଣ ସହର ପାଲଟି ଯାଇଥିଲା । ହେଲେ ୧୯୬୪ ମସିହାରେ ଆସିଥିବା ବାତ୍ୟା ଏହି ସ୍ଥାନକୁ ଧ୍ୱଂସ କରି ରଖି ଦେଇଥିଲା । ଏହି ବାତ୍ୟାରେ ଧନୁଷକୋଡିରେ ୧୮ ଶହରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏହାସହ ୧୦୦ରୁ ଅଧିକ ଯାତ୍ରୀଙ୍କୁ ନେଇକି ଯାଉଥିବା ଏକ ଟ୍ରେନ ମଧ୍ୟ ସମୁଦ୍ରରେ ବୁଡି ଯାଇଥିଲା । ସେବେଠାରୁ ହିଁ ଏହି ସ୍ଥାନ ଶୂନଶାନ ହୋଇ ଯାଇଥିଲା । ବର୍ତ୍ତମାନ ଏହି ସ୍ଥାନକୁ ଭୂତ କୋଠି ବୋଲି କୁହାଯାଉଛି । ରାତି ହେଲେ ଏଠାରେ ପର୍ଯ୍ୟଟକଙ୍କ ପ୍ରବେଶକୁ ନିଷେଧ କରାଯାଇଛି ।

ଏହି ସ୍ଥାନରେ ଏବେ ବି ୪୦୦ ମତ୍ସ୍ୟଜୀବୀ ରହିଛନ୍ତି । ଯେଉଁମାନଙ୍କ ପାଖରେ ଏବେ ଯାଏଁ ବି ଶୌଚାଳୟ, ବିଜୁଳି ଓ ପିଇବା ପାଣି ପହଞ୍ଚି ପାରିନାହିଁ । ଏହି ସ୍ଥାନରେ ପ୍ରଭୁ ଶ୍ରୀରାମଙ୍କ ଅନେକ ମନ୍ଦିର ମଧ୍ୟ ରହିଛି । କୁହାଯାଏ ଯେ ପ୍ରଭୁ ରାମ ଏଠାରେ ନିଜ ଧନୁରେ ସେତୁ ଭାଙ୍ଗିଥିବାରୁ ଏହି ସ୍ଥାନର ନାଁ ଧନୁଷକୋଡି ରଖାଯାଇଛି ।

ବର୍ତ୍ତମାନ ଏହି ରାମସେତୁର ରହସ୍ୟ ଖୋଜିବାକୁ ଆଗକୁ ଆସିଛନ୍ତି ସରକାର । କେବେ ଓ କିଏ ରାମସେତୁ ତିଆରି କରିଥିଲେ ତାର ଅନୁସନ୍ଧାନ କରିବ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ଏହି ସେତୁର ଉଭୟ ବୈଜ୍ଞାନିକ ଓ ଧାର୍ମିକ ମହତ୍ୱ ଥିବାରୁ ଏହାର ରହସ୍ୟ ଖୋଜିବା ଭାରତୀୟ ବୈଜ୍ଞାନିକଙ୍କ ପାଇଁ ଏକ ବଡ ଉପଲବ୍ଧି ହେବ ।