ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପୁଣି ମିଳିବ ମାଗଣା ରାସନ । ୮୦ କୋଟି ଲୋକ ହେବେ ଲାଭାନ୍ୱିତ

677

କନକ ବ୍ୟୁରୋ : କରୋନା ମହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ମାଧ୍ୟମରେ ପୁଣି ଗରିବ ଲୋକମାନଙ୍କୁ ରାସନ ଯୋଗାଇବାକୁ ଘୋଷଣା କରିଛନ୍ତି । ଏଥର ୨ ମାସ ପର୍ଯ୍ୟନ୍ତ ପ୍ରତି ଲୋକକୁ ୫ କେଜି ଲେଖାଏଁ ରାସନ ଦିଆଯିବ ବୋଲି କୁହାଯାଇଛି । ଏହି ରାସନ ମେ ଓ ଜୁନ ମାସରେ ପ୍ରଦାନ କରାଯିବ । କେନ୍ଦ୍ର ସରକାରଙ୍କର ଏହି ମାଗଣା ରାସନ ମାଧ୍ୟମରେ ଦେଶରେ ୮୦ କୋଟି ଲୋକ ଲାଭାନ୍ୱିତ ହେବେ  ବୋଲି ଆଶା କରାଯାଇଛି । କହିରଖୁ କି ପୂର୍ବ ବର୍ଷ ବି ଲକଡାଉନ ସମୟରେ ଏହି ଯୋଜନା ମାଧ୍ୟମରେ ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇଥିଲେ କେନ୍ଦ୍ର ସରକାର । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ଏହା ଘୋଷଣା କରିବା ସହ ଗରିବ ଲୋକଙ୍କୁ ପୋଷଣଯୁକ୍ତ ଆହାର ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ସେ କହିଥିଲେ କି ଏହି ଯୋଜନାରେ କେନ୍ଦ୍ର ସରକାର ୨୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ।

ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ କରେନା ବିରୋଧ ଲଢେଇରେ ରାଜ୍ୟ ମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆଶ୍ୱସନା ଦେଇଛନ୍ତି । ସେ କହିଛନ୍ତି କି ଯଦି ଆମେ ଏକ ରାଷ୍ଟ୍ର ରୂପରେ କାମ କରିବା ତେବେ କରୋନା ଲଢେଇରେ ନିଶ୍ଚିନ୍ତ ସଫଳ ହେବା । କୋଭିଡ-୧୯ ର ତାଜା ଲହରରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ୧୦ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭର୍ଚୁଆଲ ବୈଠକ କରି ରାଜ୍ୟ ମାନଙ୍କର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ଏହାପରେ ପ୍ରଧାନମନ୍ତ୍ରୀ କହିଥିଲେ କି କରୋନାର ପ୍ରଥମ ଲହର ବେଳେ ସଂଯୁକ୍ତ ପ୍ରୟାସ ଓ ସଂଯୁକ୍ତ ରଣନୀତି ମାଧ୍ୟମରେ ସଫଳତା ମିଳିଥିଲା । ଏଥର ବି ସେହି ସିଦ୍ଧାନ୍ତରେ କାମକଲେ ଏଥର ବି କରୋନା ବିରୋଧରେ ମୁକାବିଲା କରାଯାଇପାରିବ ବୋଲି ସେ ଆଶ୍ୱସନା ଦେଇଛନ୍ତି ।