ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ : ଚିତ୍ର ଆଙ୍କି ଶୁଭେଚ୍ଛା ଜଣାଇଲେ ଓଡ଼ିଆ ଝିଅ

181

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଚିତ୍ର ଆଙ୍କିଛନ୍ତି ଓଡ଼ିଆ ଚିତ୍ରକର ପ୍ରିୟଙ୍କା ସାହାଣୀ । ବିଭିନ୍ନ ଶଷ୍ୟର ବ୍ୟବହାର କରି ଏହି ଚିତ୍ର ଆଙ୍କିଛନ୍ତି ପ୍ରିୟଙ୍କା । ଏଥିରେ ସେ ହରଡ, ମୁଗ, ମସୁର, ଚୂଡା, ଚାଉଳ ଆଦି ବ୍ୟବହାର କରିଛନ୍ତି  । ଏହି ଚିତ୍ରରେ ଓଡ଼ିଶା ସଂସ୍କୃତିକୁ ଦର୍ଶାଇଛନ୍ତି ପ୍ରିୟଙ୍କା  । ପ୍ଲାଏରେ ତିଆରି ହୋଇଥିବା ଏହି ଫଟୋର ଉଚ୍ଚତା ୮ ଫୁଟ । ସମସ୍ତ ଓଡ଼ିଆ ତରଫରୁ ଏହା ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଭେଟି ବୋଲି କହିଛନ୍ତି ପ୍ରିୟଙ୍କା । ଗଣମାଧ୍ୟମ ସହ ଆଳାପ ସମୟରେ ପ୍ରିୟଙ୍କା କହିଛନ୍ତି, ‘ପ୍ଲାଇ’ ବୋର୍ଡ ଉପରେ ତିଆରି ଏହି ପ୍ରତିକୃତିରେ ମୋଦୀଙ୍କ ବକ୍ଷରେ ଭାରତର ମାନଚିତ୍ର କରାଯାଇଛି । ଏହାର ଅର୍ଥ ହେଉଛି, ମୋଦୀ ହେଉଛନ୍ତି ସମଗ୍ର ଭାରତବାସୀଙ୍କ ନେତା ଏବଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ତାଙ୍କ ହୃଦୟ ସ୍ପନ୍ଦିତ ହେଉଛି। ଭାରତ ଏକ କୃଷି ପ୍ରଧାନ ଦେଶ ହୋଇଥିବାରୁ ଆମେ ଶସ୍ୟକୁ ପୂଜା କରୁ । ତେଣୁ, ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତି ତିଆରି ପାଇଁ ମୁଁ ଶସ୍ୟଦାନାକୁ ହିଁ ବାଛିଲି । ଏଥିପାଇଁ ଦୁଇ ଦିନ ସମୟ ଲାଗିଛି ।

ତେବେ ଏମିତି ଅନେକ ବୋତଲ, ନଡ଼ିଆ କତା, ବେଲୁନ, ମାଟି ପାତ୍ର, ପୁରୁଣା କପଡ଼ା, ଦୀପ ଓ ବର୍ଜ୍ୟବସ୍ତୁକୁ ନିଜ ରଙ୍ଗତୂଳୀରେ ତଥା ସୃଜନ ଶକ୍ତିରେ ଜୀବନ୍ତ ରୂପ ଦେଇଛନ୍ତି ୨୬ବର୍ଷୀୟ ପ୍ରିୟଙ୍କା ସାହାଣୀ । ପେସାରେ ଜଣେ ସଫ୍ଟୱେୟାର ଇଂଜିନିୟର । କିନ୍ତୁ ଚିତ୍ର ଆଙ୍କିବାର ନିଶା ତାଙ୍କୁ ନିର୍ଜୀବ ଦେହରେ ବି ଜୀବନ ଢାଳିବାର କଳାରେ ନିପୁଣ କରିଛି । ଦୃଢ଼ ଇଚ୍ଛାଶକ୍ତି ବଳରେ ସବୁ ସମ୍ଭବ; ଏହା ପ୍ରମାଣ କରି ଦେଖାଇଛନ୍ତି ପ୍ରିୟଙ୍କା । ବଟଲ ଆର୍ଟ, ସିଡି ଆର୍ଟ, ମଣ୍ଡଳ ଆର୍ଟ, ପଞ୍ଚଗିନି ଆର୍ଟ, ଜିଆଣ୍ଟ୍‌ ମଣ୍ଡଳ ଆର୍ଟ, ପୋଟ୍ରେଟ୍ ମଣ୍ଡଳ ଆର୍ଟ, କଫି ଆର୍ଟ, କାଲିଗ୍ରାଫ୍ ଲେଟର ଆର୍ଟ, ଅବଷ୍ଟ୍ରାକ୍ଟ୍‌ ଆର୍ଟ, ନଡ଼ିଆ ଖୋଳ ଆର୍ଟ, ଟେରାକୋଟା ଆର୍ଟ, ବେଲୁନ ମଣ୍ଡଳ ଆର୍ଟ, ଫେସ୍ ପେଣ୍ଟିଂ, ଏଗ୍‌ ଆର୍ଟ, ମଧୁବନୀ ଆର୍ଟ, ରିଅଲିଷ୍ଟିକ୍ ଆର୍ଟ, ଫାବ୍ରିକ୍ ଆର୍ଟ ଓ ଦୀପ ଆର୍ଟ ପରି ଅନେକ ବସ୍ତୁରେ ଚିତ୍ର ଆଙ୍କି ଜୀବନ୍ତ ରୂପ ଦେଇ ପାରିଛନ୍ତି ପ୍ରିୟଙ୍କା । ଏମିତି ନିଆରା ପ୍ରତିଭା ଓଡ଼ିଶା ସମେତ ରାଜ୍ୟ ବାହାରେ ବି ତାଙ୍କୁ ସୁନାମ ଦେଇଛି । ଅନ୍‌ଲାଇନ୍‌ରେ ସେ ଏସବୁ ଆର୍ଟ ବିକ୍ରି କରୁଥିବା ବେଳେ ବେଙ୍ଗାଲୁରୁ, ଦିଲ୍ଲୀ ଓ ମୁମ୍ବାଇ ଆଦି ସ୍ଥାନରୁ ତାଙ୍କ ଚିତ୍ରକଳା ପାଇଁ ବରାଦ ଆସେ ବୋଲି ସେ କହିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇରେ ପ୍ରିୟଙ୍କା ସାହାଣୀଙ୍କ ଘର। ବର୍ତ୍ତମାନ ସେ ଭୁବନେଶ୍ବର ବମିଖାଲରେ ରହୁଛନ୍ତି । ପିଲା ଦିନୁ ନିଜ ପିତା ସ୍ବର୍ଗତ ବିବେକାନନ୍ଦ ସାହାଣୀଙ୍କଠାରୁ ଚିତ୍ର ଅଙ୍କା ଶିଖିଛନ୍ତି ପ୍ରିୟଙ୍କା । ବାପାଙ୍କର ହଠାତ୍‌ ବିୟୋଗ ପରେ ସେ ଭାଙ୍ଗି ପଡ଼ିଥିଲେ । ଚିତ୍ର ଆଙ୍କିବା ଛାଡ଼ି ଦେଇଥିଲେ । କିନ୍ତୁ ଗତବର୍ଷ ଲକ୍‌ଡାଉନ୍‌ ପରଠାରୁ ପୁଣି ସେ ଚିତ୍ର ଅଙ୍କାରେ ମନୋନିବେଶ କରିଛନ୍ତି । ଯେଉଁଠି ଯାହା ହାତରେ ପଡ଼ିଲା, ସେଠି ଚିତ୍ର ଆଙ୍କିବା ଆରମ୍ଭ କରି ଦିଅନ୍ତି । କୌଣସି ରେକର୍ଡ କିମ୍ବା ପ୍ରଚାରପ୍ରସାର ପାଇଁ ନୁହେଁ; ବାପାଙ୍କ ସ୍ମୃତିରେ ସମୟର ସଦୁ‌ପୋଯୋଗ କରିବା ଏବଂ ବାପାଙ୍କଠାରୁ ଶିକ୍ଷା ଗ୍ରହଣ କରିଥିବା ଚିତ୍ରକଳାକୁ ନେଇ ଆତ୍ମସନ୍ତୋଷ ଲାଭ କରିବା ତାଙ୍କର ଉଦ୍ଦେଶ୍ୟ । ମାତ୍ର ବର୍ଷେ ଭିତରେ ସେ ଅନ୍‌ଲାଇନ୍‌ରେ ନିଜର ୧୪ରୁ ୧୫ଟି ମଣ୍ଡଳ ଆର୍ଟ ବିକ୍ରି କରିସାରିଥିବା ବେଳେ ଏବେ ବି ବାହାରୁ ବହୁ ବରାଦ୍‌ ଆସୁଛି ।