ପେଗାସସ୍ ବିବାଦ : ଯାଂଚ ପାଇଁ ସ୍ୱତନ୍ତ୍ର କମିସନ ଗଢିବାକୁ ଦାବି କଲେ ମମତା

47

କନକ ବ୍ୟୁରୋ : ଛିଡୁନି ପେଗାସସ୍ ବିବାଦ । ଭାରତରେ ଇଜ୍ରାଏଲ ସ୍ପାଏ ୱାୟାର ପେଗାସସର ସ୍ଥିତି ଅନୁସନ୍ଧାନ କରିବାକୁ ସ୍ୱତନ୍ତ୍ର ‘ଏନକ୍ୱାରୀ କମିସନ୍’ ଗଠନ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କ ଆଗରେ ଦାବି ରଖିଛନ୍ତି । ସୂଚନା ମୁତାବକ, ପେଗାସସ୍ ବାବଦରେ ବିରୋଧୀ ଦଳ ଗୁଡିକ ସ୍ୱର ଉଠାଇଥିଲେ ବି ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇ ରାଜରାସ୍ତାକୁ ଓହ୍ଳାଇଥିଲା କେବଳ ଟିଏମସି ।

ପେଗାସସ୍ ମାମଲାକୁ ନେଇ ଉଭୟ ସଦନରେ ବିରୋଧୀମାନେ ହୋ ହାଲ୍ଲା କରିବାରେ ଲାଗିଛନ୍ତି । ଏନେଇ ଆଜି ବିରୋଧୀଦଳ ସାଂସଦ ମାନେ ଏକ ବୈଠକ କରିଛନ୍ତି । ଏପରିକି ଦଳର ସାଂସଦ ଶାନ୍ତନୁ ସେନ୍ କେନ୍ଦ୍ର ସୂଚନା ପ୍ରଦ୍ୟୋଗିକ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ହାତରୁ କାଗଜପତ୍ର ଛଡାଇନେଇ ଚିରି ଦେଇଥିଲେ । ଏହାପରେ ଗୃହ ମୁଲତବୀ କରିବାକୁ ବାଧ୍ୟ ହୋଇଥିଲେ ବାଚସ୍ପତି ।

ଏହା ବ୍ୟତୀତ ରାଜ୍ୟକୁ ଅଧିକ କୋଭିଡ ଟିକା ଯୋଗାଣ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମମତା । ଦେଶରେ ଟିକାକରଣ ପ୍ରକ୍ରିୟା ଭଲ ସ୍ଥିତିରେ ରହିଥିଲେ ବି ତୃତୀୟ ଲହର ଆସିବା ପୂର୍ବରୁ ରାଜ୍ୟରେ ସମସ୍ତଙ୍କୁ ଟିକାକରରଣ ତାଙ୍କର ଲକ୍ଷ୍ୟ ବୋଲି ସେ କହିଛନ୍ତି । ତୃତୀୟରେ ଦୀର୍ଘ ଦିନରୁ ପଶ୍ଚିମବଙ୍ଗର ନାଁ ‘ବଙ୍ଗାଲ’କୁ ପରିବର୍ତ୍ତନ କରିବା ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଥିବା କହିଛନ୍ତି ।