ଦୁଇ ଦଶନ୍ଧି ପରେ ବି ଯାଇନି ଦୁଃଖ, ଭରିନି କ୍ଷତିଗ୍ରସ୍ତ ଅଞ୍ଚଳର କ୍ଷତ । ନା ଅଛି ରାସ୍ତା, ନା ମିଳିଛି ଘର । ବିପଦପୂର୍ଣ୍ଣ ଅବସ୍ଥାରେ ଆଶ୍ରୟସ୍ଥଳୀ । ମହାବାତ୍ୟାଠୁ ବଳି ଯାଉଛି ୨୧ ବର୍ଷର ଅବହେଳାର ଯନ୍ତ୍ରଣା ।

401

କନକ ବ୍ୟୁରୋ: ମହାବାତ୍ୟାର ୨୧ ବର୍ଷ ପରେ କେମିତି ଅଛି ପ୍ରଭାବିତ ଅଞ୍ଚଳ ? କେମିତି ଅଛି ସୁପର ସାଇକ୍ଲୋନର ନାଲି ଆଖି ଦେଖିଥିବା ଜଗତସିଂହପୁର ଜିଲ୍ଲାର ଏରସମା ଅଞ୍ଚଳ ? ୧୯୯୯ ମହାବାତ୍ୟାକୁ ୨୧ ବର୍ଷ ବିତି ଯାଇଥିବା ବେଳେ କ୍ଷତିଗ୍ରସ୍ତ ଅଞ୍ଚଳରେ କିଛି ବଦଳିଛି ନା ସ୍ଥିତି ସେମିତି ରହିଛି । ପ୍ରକୃତ ସତ ପରିଖିବାକୁ ଆମେ ଚାଲିଥିଲୁ ଗ୍ରାଉଣ୍ଡ ଜିରୋକୁ…

ବାତ୍ୟା ଯିବାର ଦୁଇ ଦଶନ୍ଧି ପରେ ବି ପ୍ରଭାବିତ ଅଞ୍ଚଳରେ କିଛି ବଦଳିନି । ସେମିତି କିଛି ଆଖି ଦୃଶିଆ କାମ ବି ହୋଇନି । ବିପଦ ଟଳିବା ପରେ ଆଗାମୀ ବିପଦର ସଫଳ ମୁକାବିଲା କରିବାକୁ ଯେଉଁ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଥିଲା ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ, ଭୁଶୁଡିବା ଉପରେ । ଆଉ ଇଏ ହେଉଛି ତାର ଅସଲ ଚିତ୍ର ।

ବାତ୍ୟାରେ ଭାସିଯାଇଥିବା ଚାଳଘର ଭାଙ୍ଗିଯାଇଥିବା କୁଡିଆ ଏଯାଏଁ ପକ୍କା ହୋଇପାରିନି । ୨୧ ବର୍ଷ ତଳେ ଯାହା ୨୧ ବର୍ଷ ପରେ ବି ତାହା । ବିକାଶର ବୀଜ ସବୁଠି ବୁଣା ଚାଲିଛି ହେଲେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ତାହା ପଡୁନି କି ବିକାଶର ଗଛ ବି ଉଠୁନି । ଖାଲି ଘର ନୁହେଁ ଏବେବି ଅନେକ ଗାଁକୁ ରାସ୍ତା ଖଣ୍ଡେ ନାହିଁ । ସମୁଦ୍ର ସୀମାରେ ଗାଁ ହୋଇଥିବାରୁ ସରକାରଙ୍କ ଆଖି ଏଠାରେ ପଡୁନି ।

ସେପଟେ ନଦୀବନ୍ଧ ସୁଦୃଢ ହେଉନଥିବାରୁ ଲୋକେ ଭୟ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି । କେତେବେଳେ କଣ ହେବ କିଛି କହି ହେବନି । ବାତ୍ୟା ଖବର ହେଉ କି ବାତ୍ୟାର ପୂର୍ବାନୁମାନ, ଯେତେବେଳେ ବି ଏମାନଙ୍କ କାନରେ ପଡେ ମନରେ ଅଜଣା ଭୟ ସଂଚାର ହୁଏ । କାରଣ ୧୯୯୯ କଥା ମନେ ପଡିଯାଏ ।

ତେବେ ମହାବାତ୍ୟାର ସମୟ ଆସିଲେ ପ୍ରଭାବିତ ଅଞ୍ଚଳର ଦୁଃଖ ଦୁର୍ଦ୍ଦଶାର କଥା ଦେଖାଏ ଗଣମାଧ୍ୟମ । ଭୋଟ ବେଳେ ବି ଏ ଅଞ୍ଚଳରେ ପଡେ ନେତାଙ୍କ ପାଦ । ହେଲେ ଭୋଟ ପରେ ସବୁ କିଛି ଭୁଲି ଯାଆନ୍ତି । ମହାବାତ୍ୟାକୁ ଯେତେ ବର୍ଷ ନବୀନ ସରକାରକୁ ମଧ୍ୟ ସେତେ ବର୍ଷ । ଯଦି ୨୧ ବର୍ଷ ପରେ ବି ବାତ୍ୟା ପ୍ରଭାବିତ ଅଞ୍ଚଳର ଦୁର୍ଦ୍ଦଶା କିଛି ବଦଳିପାରୁନି ତେବେ କେବେ ବଦଳିବ ?