ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ଆବେଦନ କଲେ ‘ଦ ୱାଲ’ ରାହୁଲ ଦ୍ରାବିଡ । ବିସିସିଆଇର ଘୋଷଣାକୁ ଅପେକ୍ଷା । 

102

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ମିଳିବ ନୂଆ କୋଚ୍ । ଖୁବଶୀଘ୍ର ଏନେଇ ଘୋଷଣା କରାଯିବ । ଆଉ ଏହା ଭିତରେ ସବୁଠୁ ବଡ ଖବର ହେଲା, ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ତଥା ଦ ୱାଲ ରାହୁଲ ଦ୍ରାବିଡ । ବିସିସିଆଇ ଏକ ଅଧିକାରୀଙ୍କ ଠାରୁ  ମିଳିଥିବା ବିଶ୍ୱସ୍ତ ସୂତ୍ର ଅନୁଯାୟୀ, ମଙ୍ଗଳବାର ରାହୁଲ ଦ୍ରାବିଡ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି । ଆଜି ହିଁ ମୁଖ୍ୟ କୋଚ୍ ଆବେଦନ ପାଇଁ ଶେଷ ତାରିଖ ଥିଲା । ଆଉ ଏହି ସମୟ ଶେଷ ହେବା ପୂର୍ବରୁ ରାହୁଲ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିଛନ୍ତି ।

ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ପଦ ପାଇଁ ଆବେଦନ କରିବା ପୂର୍ବରୁ ବିସିସିଆଇ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ୟୁଏଇରେ ଆଇପିଏଲ ଖେଳାଯାଉଥିବା ବେଳେ ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହା ଭାରତୀୟ ମୁଖ୍ୟ କୋଚ୍ ପଦ ପାଇଁ ଦ୍ରାବିଡଙ୍କ ସହ ଆଲୋଚନା କରିଥିଲେ । ଆଉ ଏହାପରେ ରାହୁଲ ହିଁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିଲା ।

ବିସିସିଆଇ ପକ୍ଷରୁ ରାହୁଲଙ୍କୁ ଯେତେବେଳେ ଏହି ଅଫର ମିଳିଥିଲା ପ୍ରଥମେ ସେ ଏହାକୁ ମନା କରିଥିଲେ । କାରଣ ରାହୁଲ ସେତେବେଳେ ଏନସିଏର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ ଏବଂ ଏହି ଦାୟିତ୍ୱ ତୁଲାଇବେ ବୋଲି କହି ଆସୁଥିଲେ । କିନ୍ତୁ ଟି-୨୦ ବିଶ୍ୱକପ ପରେ ମୁଖ୍ୟ କୋଚ୍ ପଦରୁ ରବି ଶାସ୍ତ୍ରୀ ବିଦାୟ ନେବେ । ତେଣୁ ଶାସ୍ତ୍ରୀଙ୍କ ସ୍ଥାନରେ ନୂଆ କୋଚ୍ ସନ୍ଧାନରେ ଥିଲା ବିସିସିଆଇ । କିନ୍ତୁ ସେଭଳି ବଡ ଚେହେରା ବିସିସିଆଇ ନଜରରେ ନଥିଲା ।

ଅନ୍ୟପଟେ ଅନେକ ତର୍ଜମା ପରେ ରାହୁଲଙ୍କ ନାଁକୁ ନେଇ ବିସିସିଆଇ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଯେହେତୁ ଆଗକୁ ବିଶ୍ୱକପ ରହିଛି ତେଣୁ ରାହୁଲ ହିଁ ଟିମ୍ ଇଣ୍ଡିଆକୁ ଆଗକୁ ନେଇପାରିବେ । ଏହାଛଡା ଏବେ ଟିମ୍ ଇଣ୍ଡିଆରେ ଖେଳୁଥିବା ଅଧିକାଂଶ ଖେଳାଳୀ ଏନସିଏରେ ରାହୁଲ ପ୍ରଶିକ୍ଷଣରେ କ୍ରିକେଟ ଖେଳିଛନ୍ତି । ତେଣୁ ମୁଖ୍ୟ କୋଚ୍ ଭାବେ ଦଳ ଭିତରେ ଉତ୍ତମ ସମନ୍ୱୟ ରଖିପାରିବେ ରାହୁଲ । ତେଣୁ ରାହୁଲଙ୍କୁ କୋଚ୍ କରିବା ଉପରେ ଜୋର ଦେଇଥିଲା ବିସିସିଆଇ ।  ସେହିଭଳି ଫିଲ୍ଡିଂ କୋଚ୍ ଭାବେ ଅଜୟ ରାତ୍ରା ଓ ଅଭୟ ଶର୍ମା ଆବେଦନ କରିଛନ୍ତି । ତେଣୁ ରାହୁଲ ଦ୍ରାବିଡ ମୁଖ୍ୟ କୋଚ୍ ହେଲେ କାହାକୁ ଫିଲ୍ଡିଂ କୋଚ୍ ଭାବେ ଦାୟିତ୍ୱ ମିଳିବ ତାହା ଉପରେ ସମସ୍ତଙ୍କର ନଜର ରହିବ ।