କ୍ଷେପଣାସ୍ତ୍ର ‘ବ୍ରହ୍ମୋସ୍’ର ରପ୍ତାନୀ କରିବ ଭାରତ । ଫିଲିଫାଇନ୍ସ ସହ ହେଲା ଚୁକ୍ତି ସ୍ୱାକ୍ଷର

185

କନକ ବ୍ୟୁରୋ: ଫିଲିଫାଇନ୍ସକୁ ୩୭୫ ମିଲିୟନ ଡଲାର ଅର୍ଥାତ୍ ୨ ହଜାର ୭୭୦ କୋଟି ଟଙ୍କାରେ ବ୍ରହ୍ମୋସ ସୁପରସୋନିକ ମିଶାଇଲ ବିକ୍ରି କରିବା ନେଇ ଚୁକ୍ତି ସ୍ୱାକ୍ଷର କରିଛି ଭାରତ । ଦକ୍ଷିଣ ଚୀନ ସାଗରରେ ସୀମାକୁ ନେଇ ଚୀନ ସହ ଫିଲିଫାଇନ୍ସର ବିବାଦ ଲାଗିରହିଥିବା ବେଳେ ଭାରତ ଠାରୁ ଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ର କିଣିବାକୁ ଚୁକ୍ତି କରିଛି ଫିଲିଫାଇନ୍ସ । ବହ୍ମୋସ ମିଶାଇଲ ପ୍ରଦାନ ପାଇଁ ଭାରତର ବ୍ରହ୍ମୋସ ଏରୋସ୍ପେସ କମ୍ପାନୀ ସହ ଫିଲିଫାଇନ୍ସର ନ୍ୟାସନାଲ ଡିଫେନ୍ସ ବିଭାଗ ସହ ଶୁକ୍ରବାର ଚୁକ୍ତି ସ୍ୱାକ୍ଷର ହୋଇଛି । ଏନେଇ ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂୂଚନା ଦିଆଯାଇଛି । ଭାରତ ସରକାରଙ୍କ ଏହି ଚୁକ୍ତି ଡିଫେନ୍ସ ସାମ୍ରଗୀ ରପ୍ତାନି ନୀତିକୁ ପ୍ରତ୍ସୋହିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ ବୋଲି ରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ପ୍ରଥମ ଥର ପାଇଁ ୨୯୦ କିମି ପର୍ଯ୍ୟନ୍ତ ଲକ୍ଷଭେଦୀ ପାରୁଥିବା ବ୍ରହ୍ମୋସ୍ ମିଶାଇଲ ବିକ୍ରି ପାଇଁ ଭାରତ ଚୁକ୍ତି କରିଛିି । ଭାରତ ଏବଂ ଋଷିଆ ସହ ମିଶି ମିଳିତ ଭାବେ ଏହି ମିଶାଇଲର ବିକାଶ କରିଛି । ଫିଲିଫାଇନ୍ସର ଉପକୂଳ ସୁରକ୍ଷା ଦିଗରେ ଏହି କ୍ଷେପଣାସ୍ତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି । ଏହି ଚୁକ୍ତି ସମୟରେ ବ୍ରହ୍ମୋସ୍ ସିଇଓ ଅତୁଲ ଡି ରାଣେ, ଡେପୁଟି ସିଇଓ ସଞ୍ଜୀବ ଜୋଶୀ, ଲେଫ୍ଟେଣ୍ଟାଣ୍ଟ କର୍ଣ୍ଣେଲ ଆର ନେଗୀ ଏବଂ ପ୍ରବୀଣ ପାଠକ ଉପସ୍ଥିତ ଥିଲେ । ଏଥିସହ ଭାରତ ଇଣ୍ଡୋନେସିଆ ଓ ଭିଏତନାମ କୁ ମଧ୍ୟ ଏହି ମିଶାଇଲ ବିକ୍ରି ପାଇଁ ଆଲୋଚନା ଚଲାଇଛି ।

ଫିଲିଫାଇନ୍ସ ସହ ଏହି ଚୁକ୍ତି ପଡୋଶୀ ଦେଶଙ୍କ ସହ ଚୀନର ବିସ୍ତାରବାଦୀ ନୀତି ଉପରେ ଅଙ୍କୁଶ ଲଗାଇବ ବୋଲି ଆଶା କରାଯାଉଛି । ଆଗାମୀ ଦିନରେ ଅନ୍ୟ ପଡୋଶୀ ଦେଶମାନେ ଭାରତ ଠାରୁ ଡିଫେନ୍ସ ସାମଗ୍ରୀ କିଣିବେ ବୋଲି ଭାରତ ଆଶାବାଦୀ ଅଛି ।