ଏମିତି ସ୍ମାର୍ଟସିଟି ଆମକୁ ଦରକାର ନାହିଁ : ଯେଉଁଠି ଡ୍ରେନରେ ଭାସିଯାଇ ଛୁଆର ଜୀବନ ଯିବ, ଅସରାଏ ବର୍ଷାରେ ସହର ଭାସିବ

89

କନକ ବ୍ୟୁରୋ : ମହାନଗର ନିଗମ, ନଗର ଉନ୍ନୟନ ବିଭାଗ ଏପରିକି ରାଜ୍ୟ ସରକାର ମଧ୍ୟ ବାହାବାହା ନେଉଛନ୍ତି । ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ସ୍ମାର୍ଟସିଟିର ମାନ୍ୟତା ମିଳିଛି ବୋଲି ଡେଙ୍ଗୁରା ପିଟୁଛନ୍ତି । ହେଲେ ବର୍ଷା ପାଣିରେ ଖୋଲା ନାଳରେ ଜଣେ ଛାତ୍ର ଭାସିଯିବା ଶାସନ, ପ୍ରଶାସନ ସମସ୍ତଙ୍କ ପାରିବା ପଣିଆ ପଦାରେ ପକାଇ ଦେଇଛି । ୨ ବର୍ଷ ତଳେ ମଧ୍ୟ ନୟାପଲ୍ଲୀ ଅଂଚଳର ଜଣେ ଛାତ୍ର ବର୍ଷା ପାଣିରେ ଡ୍ରେନରେ ଭାସିଯାଇ ପ୍ରାଣ ହରାଇଥିଲେ । କେତେବେଳେ ଡ୍ରେନ ପାଇଁ, ତ କେତେବେଳେ ସ୍ୱେରେଜ ପାଇଁ, କେତେବେଳେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ତ ପୁଣି କେତେବେଳେ ମୁକୁଳା ମ୍ୟାନହୋଲ ପାଇଁ ଏ ସହର ସାଧାରଣ ଲୋକଙ୍କ ଲାଗି ଅଭିଶାପ ପାଲଟି ଯାଇଛି ।

ଅସରାଏ ବର୍ଷାରେ ପୁରା ସହର ଭାସୁଛି । ବନ୍ୟା ପରି ବର୍ଷା ଘର ଭିତରେ ଲହଡି ଭାଙ୍ଗୁଛି । ଏଭଳି ସ୍ମାର୍ଟସିଟି ଆମକୁ ଦରକାର ନାହିଁ । ଯେଉଁଠି ସହରର ଛୁଆ ଡ୍ରେନରେ ଭାସିଯିବ । ଟ୍ୟୁସନକୁ ଯାଇଥିବା ପୁଅ କାହିଁକି ଘରକୁ ଫେରୁନି ବୋଲି ମାଆ ବାଉଳି ହେଉଥିବ । ମହାନଗରର ଏହି ମୁକୁଳା ଡ୍ରେନ୍ ପାଇଁ ଦାୟୀ କିଏ । ବିଭାଗ-ବିଭାଗ ଭିତରେ ସମନ୍ୱୟ ଅଭାବରୁ ରାଜଧାନୀ ଆଜି ରୋଗିଣା ପାଲଟି ଯାଇଛି, ଦୋଷ କିଏ ମୁଣ୍ଡାଇବ । ପୂର୍ବତନ ମେୟର ଆଉ ବର୍ତ୍ତମାନ ବିଧାୟକ ଖାଲି ସମବେଦନାର ଭାଷଣ ଝାଡିବେ, ନା ସହରକୁ ଠିକରେ ଗଢିପାରିଲେନି ବୋଲି ଭୁଲ ମାଗିବେ । ବର୍ଷା ପାଣି ପାଇଁ ସେବେକାର ମେୟର ଆଉ ଏବେକାର ସାଂସଦଙ୍କୁ ଦାୟୀ କରୁଥିବା ଓଟଡିସି ଅଧ୍ୟକ୍ଷା ଏହି ମୁକୁଳା ଡ୍ରେନ ପାଇଁ କାହାକୁ ଦାୟୀ କରିବେ ।

ସରକାରୀ ତଥ୍ୟ ମୁତାବକ, ୨୦୧୫ରେ ନୂଆପଲ୍ଲୀ ମମତାଜ୍ ଅଲ୍ଲୀ ହାଇସ୍କୁଲ ନିକଟସ୍ଥ ମୁକୁଳା ଡ୍ରେନ୍‌ରେ ଜଣେ ନାବାଳକ ଭାସି ଯାଇଥିଲେ । ୨୦୧୬ରେ ଶୈଳଶ୍ରୀବିହାରରେ ଜଣେ ଯୁବକ ଭାସି ଯାଇଥିଲେ । ୨୦୧୭ରେ ନୂଆପଲ୍ଲୀ ବେହେରାସାହି, ୨୦୧୮ରେ ଗଙ୍ଗନଗର ଓ ୨୦୧୯ରେ ସିଆର୍‌ପି ଛକ ନିକଟରେ ଏଭଳି ଅଘଟଣ ଘଟିଥିଲା । ମୁକୁଳା ଡ୍ରେନ୍‌ ମୃତ୍ୟୁ ଯନ୍ତା ସାଜିଥିଲା ସବୁ ମାମଲାରେ । ତେବେ ସୌଭାଗ୍ୟକୁ ଏଭଳି ଅଘଟଣରୁ ୪ ଜଣଙ୍କୁ ବଞ୍ଚାଇବା ସମ୍ଭବ ହୋଇଛି । ଏଭଳି ଅଘଟଣ ବାରମ୍ବାର ଘଟିବାରୁ ସୁପ୍ରିମ୍‌କୋର୍ଟରେ ମାମଲା ପହଞ୍ଚିଥିଲା। ସୁପ୍ରିମ୍‌କୋର୍ଟ ମାମଲାର ବିଚାର କରି କୌଣସି ଡ୍ରେନ୍‌ ମୁକୁଳା ନ ରଖିବାକୁ ରାଜ୍ୟ ସରକାରଙ୍କୁ ଆଦେଶ ଦେଇଥିଲେ ।

ରାଜ୍ୟ ସରକାର ଡ୍ରେନ୍‌ ନିର୍ମାଣକାରୀ ବିଭାଗ ଯଥା, ବିଏମ୍‌ସି, ଜାତୀୟ ରାଜପଥ, ପୂର୍ତ୍ତ ଓ ଇଡ୍‌କୋକୁ ଚିଠି ଲେଖିଥିଲେ। ମାତ୍ର ପରବର୍ତ୍ତୀ ତଦାରଖ କରାଯାଇନଥିଲା । ସରକାର ଚୁପ୍‌ ବସି ଯିବାରୁ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ସେମିତି ଫାଇଲ୍‌ ତଳେ ଚାପି ହୋଇ ରହିଗଲା । କେତେକ ଜାଗାରେ ସ୍ଲାବ୍‌ ପାଇଁ ଖର୍ଚ୍ଚ ଦର୍ଶାଯାଇଥିଲେ ମଧ୍ୟ ସ୍ଲାବ୍‌ ପଡ଼ିନାହିଁ । ସ୍ଲାବ୍‌ ପଇସା ଚଳୁ କରି ଦେଇଛନ୍ତି । ଆଉ କେତେକ ଜାଗାରେ ଜାଣିଶୁଣି ସ୍ଲାବ୍‌ ନିର୍ମାଣ କରାଯାଉନାହିଁ । ଏବେ ନୂଆ ଡ୍ରେନ୍‌ରେ ସ୍ଲାବ୍‌ ବାଧ୍ୟତାମୂଳକ ଥିଲେ ମଧ୍ୟ ବହୁ ଡ୍ରେନ୍‌ ସେମିତି ମୁକୁଳା ପଡ଼ିଛି । ତେବେ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ସାମ୍ନାକୁ ଆସିବା ପରେ ପ୍ରଶାସନ ଚେତୁଛି କି ନାହିଁ ତାହା ଦେଖିବାକୁ ବାକି ରହିଛି ।