ଆଜି କୁମାର ପୂର୍ଣ୍ଣିମା । ଚାନ୍ଦ ପୂଜା କରିବେ କୁଆଁରୀ ଝିଅ

275

କନକ ବ୍ୟୁରୋ : ପୁଣି ଆସିଛି କୁମାର ପୂନେଇଁ । ଏହି ଦିନ କାର୍ତ୍ତିକେୟଙ୍କ ଜନ୍ମଦିନ ଥିବାରୁ ଏହି ପୂଜା କଲେ ତାଙ୍କ ଭଳି ସୁନ୍ଦର ଓ ବୀର ବର ମିଳେ ବୋଲି ଲୋକ ବିଶ୍ବାସ ରହିଛି । ତେଣୁ ସର୍ବଗୁଣସମ୍ପନ୍ନ ଜୀବନସାଥୀଟିଏ ପାଇବାକୁ କୁମାରୀ କରିବେ ଚନ୍ଦ୍ରପୂଜା । ଏନେଇ କୁମାରୀଙ୍କ ମନରେ ବେଶ୍‌ ଉତ୍ସାହ ଭରି ରହିଛି । ମା’ ଗଜଲକ୍ଷ୍ମୀଙ୍କ ଆବାହନ ଓ କୁଆଁର ପୂନେଇଁ ପୂଜାର୍ଚ୍ଚନା ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଛି ରାଜଧାନୀ ।

ସାମୂହିକ ଓ ପାରିବାରିକସ୍ତରରେ ଏ ନେଇ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇଛି । ଗାଁ ଗହଳି ଭଳି ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳର ଝିଅମାନଙ୍କ ମନରେ ଏହି ପର୍ବକୁ ନେଇ ଉତ୍ସାହ ପରିଲକ୍ଷିତ ହୁଏ । ଗାଁ ପରି ଏଠାରେ ଦଳଦଳ ହୋଇ ଝିଅମାନେ ଚଉରା ମୂଳକୁ ଯିବା ସମ୍ଭବ ହେଉ ନ ଥିଲେ ବି ଘରେ ଘରେ ଏହି ପରମ୍ପରାକୁ ଧରି ରଖିବାର ପ୍ରୟାସରେ ଆଦୌ ହେଳା କରୁ ନାହାନ୍ତି । ଏହା ସହ କିଛି ଆବାସିକ କଲୋନିରେ ଝିଅମାନେ ମିଳିତ ଭାବେ ପୂଜାର୍ଚ୍ଚନା କରିବାର ବିଧି ଏବେ ବି ବଞ୍ଚି ରହିଛି । କିନ୍ତୁ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ଭଳି ସାଂସ୍କୃତିକ ଅନୁଷ୍ଠାନଗୁଡ଼ିକ ପକ୍ଷରୁ କୁମାର ଉତ୍ସବ ଆୟୋଜିତ ହେଉନାହିଁ । କିନ୍ତୁ କିଛି ଲକ୍ଷ୍ମୀ ପୂଜା ମଣ୍ଡପରେ ଆଜି କୁମାରୀ ପୂଜା ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି ।

ପରମ୍ପରା ଅନୁଯାୟୀ ସକାଳ ନ ପାଉଣୁ ଗାଧୋଇ ପାଧୋଇ ନୂଆ ଲୁଗା ପିନ୍ଧି କୁମାରୀମାନେ ସୂର୍ଯ୍ୟୋଦୟ ପୂର୍ବରୁ ସୂର୍ଯ୍ୟଦେବତାଙ୍କୁ ଆଞ୍ଜୁଳି ଟେକିବେ । ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ଆରମ୍ଭ ହେବ ପୂଜାର୍ଚ୍ଚନା । ଖଇ, ଗୁଆ, କଦଳୀ, ନଡ଼ିଆ, କସି କାକୁଡ଼ି, କସି ଜହ୍ନି ଓ ଆଖୁ ଭଳି ଫଳ ଭୋଗ ଲାଗିବ । ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ କରିବେ ଚାନ୍ଦ ପୂଜା । ଜହ୍ନ ଉଇଁଲେ ଆରମ୍ଭ ହୋଇଯାଏ ଏହି ପୂଜା । କୁଆଁରୀଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠେ ପୂରା ପରିବେଶ । ଖଇ, ନଡ଼ିଆ, କଦଳୀ, ଛେନା ଓ ଗୁଡ଼ ଆଦିରେ ପ୍ରସ୍ତୁତ ଚାନ୍ଦ ଚକଟା ପୂନେଇଁ ଜହ୍ନକୁ ଭୋଗ ଲାଗେ । ପୂଜା ହେବା ପରେ କୁଆଁରୀମାନେ ଏହାକୁ କବାଟ କଣରେ ଲୁଚେଇ ଲୁଚେଇ ଖାଆନ୍ତି ଏବଂ ପରସ୍ପରକୁ ଖୁଆନ୍ତି । ଏହା ପରେ ଆରମ୍ଭ ହୋଇଯାଏ କୁଆଁର ପୁନେଇଁ ଜହ୍ନ ଗୋ…. ଗୀତ ସାଙ୍ଗକୁ ପୁଚି ଖେଳର ଆସର ।

ତେବେ ସାରା ରାଜ୍ୟରେ କରୋନା କଟକଣା ଭିତରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି । ରାଜଧାନୀରେ କରୋନା କଟକଣାକୁ ନଜରରେ ରଖି ୭ ଦିନିଆ ପୂଜାକୁ ଏଥର ବି ବିରାମ ଦିଆଯାଇଛି । ଅନେକ ସ୍ଥାନରେ ମା’ଙ୍କୁ ୩ ଦିନ ପୂଜା କରାଯିବା ପରେ ବିସର୍ଜନ କରାଯିବ । ଏମିତିକି ରାଜଧାନୀର କୌଣସି ସ୍ଥାନରେ ମୀନାବଜାର କିମ୍ବା ମେଲୋଡିର ବି ଆୟୋଜନ କରାଯାଇନାହିଁ । ଏଥିପାଇଁ ସହିଦନଗର, ୟୁନିଟ୍‌-୯, ଓୟୁଏଟି, ବାପୁଜୀନଗର, ନହରକଣ୍ଟା, ୟୁନିଟ୍‌-୮, ପୁରୁଣା ଭୁବନେଶ୍ୱର ଓ ଖଣ୍ଡଗିରି ଆଦିରେ ବିଭିନ୍ନ ପୂଜା କମିଟି ପକ୍ଷରୁ ନିରାଡମ୍ବରରେ ମା’ଙ୍କ ପୂଜା କରାଯାଉଛି । ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ମୂର୍ତ୍ତିକୁ ଚାରିପଟୁ ବନ୍ଦ ରଖାଯାଇଛି । କିଛି କିଛି ପୂଜାମଣ୍ଡପରେ ଆସନ୍ତାକାଲି କୁମାର ପୂର୍ଣ୍ଣିମା ଅବସରରେ ପୂଜାର୍ଚ୍ଚନା ହେବ ବୋଲି ଜଣାପଡ଼ିଛି ।