ଜିମ ବାପି କରୁଛି ବ୍ଲାକମେଲ ! ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ମୋହରା କରି କଲେଜ ମାଲିକଙ୍କୁ କରୁଥିଲା ବ୍ଲାକମେଲ

53

କନକ ବ୍ୟୁରୋ : ଜିମ୍ ବାପି ଗିରଫ ପରେ ଖୋଲୁଛି ବ୍ଲାକମେଲର ଗୁମର । ବାପି କିଭଳି ଫିଲ୍ମ ଷ୍ଟାଇଲରେ ଜଣେ ଯୁବତୀଙ୍କୁ ମୋହରା କରି କଲେଜ ମାଲିକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ଆଦାୟ କରୁଥିଲା ତାହା ସାମନାକୁ ଆସିଛି । ଚାକିରି ପାଇଁ ଆବେଦନ କରିବାକୁ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଙ୍ଗ୍ କଲେଜ ମାଲିକଙ୍କ ନିକଟକୁ ପଠାଇଥିଲା ବାପି । ଆଉ ତାପରେ ୫ ଲକ୍ଷ ଟଙ୍କା ପାଇଁ ଆରମ୍ଭ କରିଦେଇଥିଲା ବ୍ଲାକମେଲ ।

ଚାକିରୀ ପାଇଁ ଚାଲିଥିଲା ଇଂଟରଭ୍ୟୁ । ଏକ ପ୍ରତିଷ୍ଠିତ କଲେଜର ମାଲିକଙ୍କ ଚାମ୍ବରରେ ଇଂଟରଭ୍ୟୁ ଦେଉଥିଲେ ଜଣେ ଯୁବତୀ । ପାଖାପାଖି ୧୫ ମିନିଟ ଧରି ଚାଲିଥିଲା ଏହି ଇଂଟରଭ୍ୟୁ । ଯୁବତୀ ଜଣକ ଇଂଟରଭ୍ୟୁ ସାରି ଫେରିବା ପରେ, ସବୁକିଛି ଓଲଟ ପାଲଟ ହୋଇଗଲା । ଚାକିରୀ ପାଇଁ ଆସିଥିବା ଯୁବତୀଙ୍କ ଟାର୍ଗେଟରେ ଥିଲେ କଲେଜ ମାଲିକ ।

କିଛି ବୁଝିବା ଆଗରୁ କଲେଜ ମାଲିକଙ୍କୁ ଫୋନ ଯୋଗେ ଧମକ ଦେଇଥିଲେ ଯୁବତୀ । ଆଉ ଆରମ୍ଭ କରି ଦେଇଥିଲେ ବ୍ଲାକମେଲିଂ । ମାଗିଥିଲେ ୧୦ ଲକ୍ଷ ଟଙ୍କା । ଟଙ୍କା ନଦେଲେ ଇଂଟରଭ୍ୟୁ ସମୟରେ ମୋତେ ଅସଦାଚରଣ ହୋଇଥିବା ନେଇ ମିଛ ଅଭିଯୋଗ କରିବି ବୋଲି ଧମକ ଦେଇଥିଲେ ଯୁବତୀ ।

ଏଭଳି ଅଭିଯୋଗ ପରେ, ଲୋକ ଲଜ୍ୟା ଭୟରେ ଯୁବତୀଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ କଲେଜ ମାଲିକ । ତେବେ ଟଙ୍କା ହାସଲ କରିବା ପରେ, ଯୁବତୀ ଜଣକ ଆହୁରି ୫ ଲକ୍ଷ ଟଙ୍କା ଦାବି କରୁଥିଲେ । ଏନେଇ ପୁଲିସକୁ ଖବର ହେବା ପରେ, ପୁରା ଗ୍ୟାଙ୍ଗର ପର୍ଦାଫାଶ କରଥିଲା ପୁଲିସ । ତଦନ୍ତରୁ ଜାଣିବାକୁ ପାଇଥିଲା ଏହି ବ୍ଲାକମେଲିଂ ଯୁବତୀଙ୍କ ପଛରେ ରହିଛି ଜିମ୍ ବାପି ଗ୍ୟାଙ୍ଗର ହାତ । ଜିମ୍ ବାପି ଓ ତାର ୩ ସହଯୋଗୀ ଯୁବତୀଙ୍କ ଜରିଆରେ ଏହି ବ୍ଲାକମେିଲଂ କରୁଥିଲେ ।

ଯୁବତୀଙ୍କ ମାର୍ଫତରେ ଅଗ୍ରିମ ୫ ଲକ୍ଷ ଟଙ୍କା ଜିମ୍ ବାପି ହଜମ କରିଥିବା ବେଳେ, ଆହୁରି ୫ ଲକ୍ଷ ପାଇଁ ଦାବି କରୁଥିଲା ବୋଲି ପୁଲିସ କହିଛି । ବ୍ଲାକମେଲିଂ ଗ୍ୟାଙ୍ଗର ଲିଡର ଜିମ୍ ବାପି ଓରଫ ଦେବାଶିଷ ନାୟକ, ବାପିର ମୁଖ୍ୟ ସହେଯାଗୀ ରାଜା ଓରଫ ରାଜେନ୍ଦ୍ର ନାୟକ, ପବିତ୍ର ନାୟକ ଏବଂ ନିଧିରାମ ସ୍ୱାଇଁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି । ହେଲେ ଏବେବି ଫେରାର ରହିଛି ସେହି ବ୍ଲାକମେଲ କରୁଥିବା ଯୁବତୀ ।