ଆଣ୍ଠେଇଲେ, ଭୁଲ ମାଗିଲେ ଜିଲ୍ଲା ପରିଷଦ ସଭ୍ୟା ! ପୋଲିସ ଉପସ୍ଥିତିରେ ଅଜବ ଦଣ୍ଡବିଧାନକୁ ନେଇ ଚର୍ଚ୍ଚା ।

421

କନକ ବ୍ୟୁରୋ : ବିଦ୍ୟାଳୟ ବାର୍ଷିକ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟା ହଟହଟ୍ଟା । ଆଣ୍ଠେଇ ଭୁଲ ମାଗିଲେ ଏବଂ ପୋଲିସ ଉପସ୍ଥିତିରେ ଗାଁ ଦାଣ୍ଡରେ ଖାଲି ପାଦରେ ଚାଲି ଚାଲି ଗଲେ ଜିଲ୍ଲା ପରିଷଦ ସଭ୍ୟା । ଏଭଳି ଏକ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ଏରସମାର ଢିଙ୍କିଆରେ । ତେବେ ଘଟଣାଟି ଥିଲା କିଛି ଏପରି ।

ଢିଙ୍କିଆ କପ୍ତେଶ୍ୱର ବିଦ୍ୟାପୀଠର ବାର୍ଷିକ କ୍ରୀଡାତ୍ସବ ଗତ ଶନିବାର ବିଜୁ ଯୁବ ବାହିନୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ସରପଂଚ ଓ ସମିତି ସଭ୍ୟଙ୍କୁ ଏହି ଉତ୍ସବରେ ଦେଖିବାକୁ ମିଳିନଥିଲା । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ୧୯୮୭ ମସିହାରୁ ବିଦ୍ୟାଳୟ ପ୍ରତିଷ୍ଠା ଦିନଠାରୁ ରାଜନୈତିକ ହସ୍ତକ୍ଷେପ କେବେ ହୋଇନଥିବା ବେଳେ ବାର୍ଷିକ ଉତ୍ସବ କେବଳ ଶାସକ ଦଳ ନେତାଙ୍କୁ ନେଇ ଆୟୋଜନ କରାଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ତେବେ ଏହି ଉତ୍ସବରେ, ଜିଲ୍ଲା ପରିଷଦ ସଭ୍ୟା କାଳିଆ ଯୋଜନା, ପିଠା ଯୋଜନା ସହ ଶାସକ ଦଳର ପ୍ରଚାର କରିବା ଭଳି ଭାଷଣ ଦେଇଥିଲେ । ଜିଲ୍ଲା ପରିଷଦ ସଭ୍ୟାଙ୍କ ଭାଷଣକୁ ସ୍ଥାନୀୟ ଲୋକେ ପ୍ରତିବାଦ କରିଥିଲେ । ଏହା ପରେ ଜିଲ୍ଲା ପରିଷଦ ସଭ୍ୟା ସେମାନଙ୍କୁ ଦୁର୍ବ୍ୟବହାର ସହ ଜାତିଆଣ ମନ୍ତବ୍ୟ ଦେଇଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ସହ ପ୍ରତିବାଦ କରିଥିଲେ । ଘଟଣା ଉଗ୍ରରୂପ ନେବାରୁ ଜିଲ୍ଲା ପରିଷଦ ସଭ୍ୟା ଭୁଲ ମାଗିଥିଲେ । ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଲୋକମାନଙ୍କୁ ଆଣ୍ଠେଇ ଭୁଲ ମାଗିଥିଲେ ଜିଲ୍ଲା ପରିଷଦ ସଭ୍ୟା । ଏହା ସହ ପୋଲିସ ଉପସ୍ଥିତିରେ ଗାଁ ଦାଣ୍ଡରେ ସେ ଖାଲିପାଦରେ ଚାଲି ଚାଲି ଯାଇଥିଲେ । ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି ।