ରାଜରାସ୍ତାରେ ତିନି ଦଳ ! ପିସି ଫେରାଇବା ଦାବିରେ ବିଜେପିର ବିକ୍ଷୋଭ,କେନ୍ଦ୍ର ଅବହେଳା ଓ ମହାନଦୀ ପ୍ରସଙ୍ଗରେ ବିଜେଡିର ରାଲି

35

କନକ ବ୍ୟୁରୋ: ମହାନଦୀ ଓ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ଆଜି ରାଜରାସ୍ତାରେ ବିଜେଡି । ଦଳର ଯୁବ ଓ ଛାତ୍ର ବାହିନୀ ଆଜି ରାଜ୍ୟବ୍ୟାପୀ ବିକ୍ଷୋଭ ଓ ପ୍ରତିବାଦ କରୁଛି । ଓଡ଼ିଶାର ହକ୍ ପ୍ରସଙ୍ଗ ଉଠାଇ କେନ୍ଦ୍ର ବିରୋଧରେ ବିଜେଡି କର୍ମକର୍ତ୍ତାଙ୍କ ପ୍ରତିବାଦ । ସକାଳ ୧୦ଟାରୁ ସମସ୍ତ ଜିଲ୍ଲାର ସଦର ମହକୁମା ସହ ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲାରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି ।

ଭୁବନେଶ୍ୱର ସ୍ୱତନ୍ତ୍ର ସର୍କିଟ ହାଉସ ନିକଟରୁ ଯୁବ ଓ ଛାତ୍ର ବିଜେଡିରେ ନେତା ଶୋଭାଯାତ୍ରାରେ ବାହାରି ବିକ୍ଷୋଭ କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ପହଂଚିବା ପରେ ସେଠାରେ ବିକ୍ଷୋଭ ଓ ପ୍ରତିବାଦ କରାଯାଇଛି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ କେନ୍ଦ୍ରମନ୍ତ୍ରୀ ଭି.କେ ସିଂ ଓ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ର ମନ୍ତ୍ରୀ ଅମର ଅଗ୍ରୱାଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ବିଜେଡି ବିକ୍ଷୋଭ କରୁଛି ।

ସେପଟେ ଜୋର ଧରିଛି ପିସି ରାଜନୀତି । ପିସି ଫେରାଅ ଦାବିରେ ଅଭିଯାନ ଆରମ୍ଭ କରିଛି ବିିଜେପି । ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏନେଇ ବିକ୍ଷୋଭ କରାଯାଉଛି । ସରକାରୀ ଯୋଜନାର ପ୍ରତିଟି ପଇସାରେ ଜନତାଙ୍କ ହକ୍ ରହିଛି । ତେଣୁ ନବୀନ ସରକାର ତୁରନ୍ତ ପିସି ଫେରାଇବାକୁ ଦାବି କରିଛି ବିଜେପି । ଗତ ୧୭ବର୍ଷରେ ଯେତିକି ପିିସି ଆଦାୟ ହୋଇଛି ସେସବୁକୁ ରାଜ୍ୟ ରାଜକୋଷକୁ ଅଣାଯାଉ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି । ଏବେ ବି ପିସି କାରବାର ଚାଲିଛି, ଏହା ନବୀନ ସରକାରଙ୍କ ଦୁର୍ନୀତିର ଉଦାହରଣ ବୋଲି ବିଜେପି ଅଭିଯୋଗ କରିଛି । ପିସି ସମ୍ପର୍କରେ ବିଜେପି ମଧ୍ୟ ଏକ ଅଡିଓ ଟେପ୍ ରିଲିଜ୍ କରିଛି । ସରକାରଙ୍କ ଦୁର୍ନୀତିକୁ ଲୋକଙ୍କ ନିକଟରେ ପହଁଚାଇବା ଲାଗି ଦଳ ଏହି ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛି ।

ଅନ୍ୟପଟେ କଂଗ୍ରେସ ବି ଆଜି କେନ୍ଦ୍ର ଓ ରାଜ୍ୟ ବିରୋଧରେ ରାଜରାସ୍ତାକୁ ଓହ୍ଳାଇଛି । କଙ୍କଡାହାଡ଼ ଗଣଦୁଷ୍କର୍ମ ଓ ହତ୍ୟା ପ୍ରତିବାଦରେ ମହିଳାଙ୍କ ସୁରକ୍ଷା ଦାବି କରିଛି ଦଳ । ସେହିଭଳି ମଧ୍ୟପ୍ରଦେଶରେ ଚାଷୀଙ୍କୁ ଗୁଳି ପ୍ରତିବାଦରେ କଂଗ୍ରେସ ଚାଷୀ ବଂଚାଅ ଆନ୍ଦୋଳନ ଆହ୍ୱାନ ଦେଇଛି । ସବୁ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦଳର କର୍ମୀମାନେ ଧାରଣା ଦେବା ସହ ବିକ୍ଷୋଭ କରିବେ ।