ଶରଧାବାଲିରେ ଫୁଟିଲା ଗୁଳି: ଦୁର୍ଦ୍ଦାନ୍ତ ଅପରାଧୀ ‘ପାରା’ଉପରକୁ ୩ ରାଉଣ୍ଡ ଗୁଳିମାଡ଼

206

କନକ ବ୍ୟୁରୋ: ପୁରୀରେ ଫୁଟିଲା ଗୁଳି । ଶରଧାବାଲିରେ ଆଜି ଏହି ଗୁଳିକାଣ୍ଡ ହୋଇଛି । ଏଥିରେ ଆଜି ସକାଳୁ ସକାଳୁ ଏହି ଘଟଣା ଘଟିଛି । ଦୁର୍ଦ୍ଦାନ୍ତ ଅପରାଧୀ ସଞ୍ଜୟ ବେହେରା ଓରଫ ପାରା ଉପରକୁ ୩ ରାଉଣ୍ଡ ଗୁଳିମାଡ ହୋଇଛି । ଗୁରୁତର ଅବସ୍ଥାରେ ପାରାକୁ ପୁରୀ ମେଡିକାଲରେ ଭର୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ ଆରମ୍ଭ କରିଛି ।

ସେପଟେ, ଗଂଜାମରେ ପୁଣିଥରେ ଏନକାଉଂଟର । ଆଜି ଭୋର୍ ସାଢ଼େ ୪ଟା ସମୟରେ ଖଲିକୋଟ୍ ଥାନା ଗୁଡ଼ିଢ଼େପ ନିକଟରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ଅନନ୍ତ କୁମାର ମାଛୁଆ ଓରଫ ମଣି ଗୁରୁତର ଭାବେ ଆହତ ହୋଇଛି । ମଣିର ଡାହାଣ ଗୋଡ଼ରେ ଗୁଳି ବାଜିଥିବା ଜଣାପଡ଼ିଛି । ଆହତ ମଣିର ଘର ନୟାଗଡ଼ ଜିଲ୍ଲା ରଣପୁରରେ ଓ ତା ନାଁରେ ଖୋର୍ଦ୍ଧା, ନୟାଗଡ଼ ଓ ଗଂଜାମ ଜିଲ୍ଲାର ବିଭିନ୍ନ ଥାନାରେ ୧୦ରୁ ଅଧିକ ମାମଲା ରହିଛି ।

ନିକଟରେ ଖଲିକୋଟ୍ ବଡ଼ଘାଟିରେ ହୋଇଥିବା ଡକାଏତି ଘଟଣାରେ ମଣି ସଂପୃକ୍ତ ଥିଲା । ଆହତ ମଣିକୁ ପ୍ରଥମେ ଖଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଏମକେସିଜି ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି । ମଣି ନିକଟରୁ ଗୋଟିଏ ପିସ୍ତଲ, ୩ଟି ଗୁଳି ଓ ଗୋଟିଏ ବାଇକ୍ ଜବତ ହୋଇଛି । ଏହା ହେଉଛି ଗଂଜାମ ପୁଲିସର ୫୭ତମ ଏନକାଉଁଟର ଓ ମଣି ୬୦ତମ ଶିକାର ।