ଫୋନ୍ ପାଇଁ ଚାଲିଗଲା ପୁଣି ଏକ ଜୀବନ ! ଫୋନରେ କଥା ହେଉଥିବା ସମୟରେ ଗୀତ ଗାଇବାରୁ ଛାତ୍ରକୁ ପିଟିପିଟି ମାରିଦେଲା ପଡ଼ୋଶୀ ଯୁବକ
କନକ ବ୍ୟୁରୋ : ଫୋନରେ କଥା ହେଉଥିବା ସମୟରେ ଗୀତ ଗାଇବାରୁ ଜଣେ ଛାତ୍ରକୁ ଜୀବନ ହରାଇବାକୁ ପଡ଼ିଛି । ଜଣେ ଉତ୍ତ୍ୟକ୍ତ ଯୁବକ ତାକୁ ପିଟିପିଟି ହତ୍ୟା କରିଛି। ମୃତ ନାବାଳକ ହେଉଛନ୍ତି ମୟୁରଭଞ୍ଜ ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ଗ୍ରାମର ସ୍ବର୍ଗତ ରଘୁନାଥ ନାୟକଙ୍କ ସପ୍ତମ ଶ୍ରେଣୀରେ ପଢ଼ୁଥିବା ପୁଅ ବିଜୟ(୧୨) । ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ସମୀର ଓରଫ ବାପି ନାୟକ(୨୦)କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଘଟଣାରୁ ପ୍ରକାଶ, ଶାଳଚୁଆ ଗ୍ରାମର ସ୍ବର୍ଗତଃ ରଘୁନାଥ ନାୟକଙ୍କ ମଧ୍ୟମ ପୁତ୍ର ବିଜୟ(୧୨) ଗତ ମଙ୍ଗଳବାର ଗାଁଠାରୁ ପ୍ରାୟ ୪କିମି ଦୂର ବରକୁଟୀ ହୁଡିରୁ ମକର ମେଳା ଦେଖି ଅପରାହ୍ନରେ ସାଙ୍ଗମାନଙ୍କ ସହିତ ଚାଲି ଚାଲି ଘରକୁ ଫେରୁଥିଲେ । ତାଙ୍କ ସହିତ ପଡ଼ୋଶୀ ଦିବାକର ନାୟକଙ୍କ ପୁଅ ସମୀର(୨୦) ମଧ୍ୟ ଘରକୁ ଫେରୁଥିଲା । ସମୀର ଫୋନରେ କଥା ହୋଇ ଚାଲିଥିବାବେଳେ ବିଜୟ ଗୀତ ଗାଇଥିଲେ । ଫଳରେ କଥା ହେବାରେ ବାଧା ସୃଷ୍ଟି ହେଉଥିବା କହି ବିଜୟକୁ ସମୀର ଗୀତ ଗାଇବାକୁ ବାରଣ କରିଥିଲା ।
ମାତ୍ର ଗୀତ ଗାଇବା ବନ୍ଦ ନ କରିବାରୁ ସମୀର କ୍ରୋଧାନ୍ବିତ ହୋଇ ବିଜୟଙ୍କୁ ପିଟିଥିଲେ । ଏହା ପରେ ସମସ୍ତେ ଘରକୁ ଫେରିଥିଲେ । କିନ୍ତୁ ସମୀରର ରାଗ ଥମି ନଥିଲା । ଘରେ ପହଞ୍ଚିବା ପରେ ପୁଣି ସେ ଉତ୍ତେଜିତ ହୋଇ ବିଜୟଙ୍କୁ ନିସ୍ତୁକ ପିଟିଥିଲା । ଏଥିସହିତ ବାଲି ଗଦାରେ ବିଜୟର ମୁଣ୍ତକୁ ଚାପି ଦେବାରୁ ବିଜୟ ସ˚ଜ୍ଞାହୀନ ହୋଇ ପଡିଥିଲା । ଘଟଣାସ୍ଥଳରେ ପରିବାର ଲୋକ ପହଞ୍ଚି ବିଜୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଘଷିପୁରା ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ତେବେ ମେଡିକାଲରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆନନ୍ଦପୁରରେ ବ୍ୟବଚ୍ଛେଦ ପରେ ଅପରାହ୍ନରେ ଶବ ଶାଳଚୁଆ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।