ବିନା ଟିକେଟରେ ଯାତ୍ରା କରୁଥିଲେ ଯୁବକ : ଧରାପଡ଼ିବା ଭୟରେ ତଳକୁ ଡ଼େଇଁପଡ଼ିଲେ, ହେଲେ ତା’ପରେ ହେଲା କ’ଣ ?

21

ବିନା ଟିକେଟରେ ଟ୍ରେନ ଯାତ୍ରା କରିବା ଜଣେ ସଚେତନ ନାଗରିକ ପକ୍ଷେ ଆଦୌ ଶୋଭନୀୟ ନୁହେଁ । ତେବେ ବିଭିନ୍ନ ସମୟରେ ଲୋକମାନେ ବିନା ଟିକେଟରେ ଯାତ୍ରା କରୁଥିବାର ଦେଖାଯାଏ । ଏପରି କରିବା ଦ୍ୱାରା ଟିଟିଇଙ୍କ ହାତରେ ଧରାପଡ଼ିବା ସହ କେତେବେଳେ ଜୀବନ ମଧ୍ୟ ବିପଦରେ ପଡ଼ିଯାଏ । ଆପଣ ନିଜେ ଚିନ୍ତା କରନ୍ତୁ ମାତ୍ର କିଛିଟା ଟଙ୍କା ପାଇଁ ଜୀବନକୁ ବାଜି ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ । ମୁମ୍ବାଇରେ ଏପରି ଏକ ଘଟଣା ଘଟିଛି । ଜଣେ ଯୁବକ ଟିକେଟ ନକାଟି ଧରାପଡ଼ିବା ଭୟରେ ଟ୍ରେନରୁ ଡ଼େଇଁ ପଡ଼ିଛନ୍ତି । ସୌଭାଗ୍ୟବଶତଃ ଜୀବନ ବଂଚି ଯାଇଛି ସିନା କିନ୍ତୁ ଏପରି କରିବା କେତେ ଦୂର ଠିକ୍ ।

ସୂଚନା ଅନୁସାରେ ଟ୍ରେନରେ ଯାତ୍ରା କରୁଥିବା ବେଳେ ଜଣେ ଯୁବକ ଭୟରେ ତଳକୁ ପଡ଼ିଛନ୍ତି । ଯୁବକ ଯାତ୍ରୀ ଜଣକ ଏମିତି ଡେଇଁଛନ୍ତି ଯେ, ରେଳଧାରଣା ଓ ପ୍ଲାଟଫର୍ମ ମଝିରେ ଥିବା ଫାଙ୍କା ଭିତରେ ପଡ଼ିଛନ୍ତି । ସିସିଟିଭି ଦ୍ୱାରା ଧରାପଡ଼ିବା ପରେ ଷ୍ଟେସନ୍ରେ ମୁତୟନ ଥିବା ଆରପିଏଫ୍ ସାମାନ୍ୟ ଆହତ ଯାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ସୁସ୍ଥ ହେବା ପରେ ଆରପିଏଫ୍ ଯାତ୍ରୀଙ୍କ ଠାରୁ ଜାଣିବାକୁ ପାଇଥିଲେ ଯେ, ବିନା ଟିକେଟରେ ଯାତ୍ରା କରିଥିବାରୁ ଓ ଟିଟିଇଙ୍କ ହାବୁଡ଼ରେ ପଡ଼ିଯିବା ଭୟରେ ସେ ଚଳନ୍ତା ଟ୍ରେନ୍ରୁ ଡେଇଁଛନ୍ତି ।

ମୁମ୍ବାଇର ବିଦ୍ୟାବିହାର ଷ୍ଟେସନର ପ୍ଲାଟଫର୍ମ ନଂ ୨ରେ ଏହି ଅଭାବନୀୟ ଘଟଣା ଘଟିଛି । ମହାରାଷ୍ଟ୍ରର କୁର୍ଲା ଅନ୍ତର୍ଗତ କାମିନୀ ନିବାସୀ ବିକାଶ ଗୌଡକୁ ଭାଗ୍ୟଶାଳୀ ଯୁବକ କୁହାଯିବ, ଯିଏ କି ଚଳନ୍ତା ଟ୍ରେନରୁ ଡେଇଁ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଷ୍ଟେସନରେ ଟ୍ରେନର ବେଗ କମି ନଥିବା ବେଳେ ସେ, ତଳକୁ ଡେଇଁଥିଲା ବୋଲି ଆରପିଏଫର ବରିଷ୍ଠ ଇନସପେକ୍ଟର କହିଛନ୍ତି ।  ଚଳନ୍ତା ଟ୍ରେନ୍ରୁ ତଳକୁ ନ ଓହ୍ଲାଇବା ପାଇଁ ଆମେ ସବୁବେଳେ ଯାତ୍ରୀଙ୍କୁ ପରାମର୍ଶ ଦେଉଛୁ, ତଥାପି ଯାତ୍ରୀମାନେ ଏହା ମାନୁ ନାହାନ୍ତି ବୋଲି ସେ କହିଛନ୍ତି ।