ଝାରସୁଗୁଡା ବ୍ରଜରାଜନଗରରେ ଦୁର୍ବୃତ୍ତଙ୍କ ଗୁଳିମାଡ। ସ୍ଥାନୀୟ ଯୁବକ ଅମିତ ଧଳ ଗୁରୁତର ଆହତ ପରେ ଡାକ୍ତରଖାନାରେ ହେଲା ମୃତ୍ୟୁ

ପୋଲିସର ତନାଘନା, ପୂର୍ବ ଶତ୍ରୁତାରୁ ହତ୍ୟା ସୂଚନା

70

କନକ ବ୍ୟୁରୋ: ଝାରସୁଗୁଡା ବ୍ରଜରାଜନଗର ଅଂଚଳରେ ଫୁଟିଛି ଗୁଳି । ସ୍ଥାନୀୟ ବସଷ୍ଟାଣ୍ଡ ଅଂଚଳରେ ଦୁଇ ଜଣ ଦୁବୃର୍ତ ବାଇକରେ ଆସି ବ୍ରଜରାନଗର ବାସିନ୍ଦା ଅମିତ ଧଳ ଉପରକୁ ୫ ରାଉଣ୍ଡ ଗୁଳି ମାଡ କରିଥିଲେ । ଏହି ଗୁଳି ଅମିତଙ୍କ ପିଠି, ହାତ ଓ ଛାତିରେ ବାଜିଥିଲା । ତେବେ ଗୁରୁତର ଅବସ୍ଥାରେ ଅମିତଙ୍କୁ ପ୍ରଥମେ ମଣ୍ଡଳିଆ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପେର ବୁର୍ଲା ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ବାଟରେ ଅମିତଙ୍କ ମୃତ୍ୟୁ ଘଟିଥିଲା ।

ଗତକାଲି ସଂଧ୍ୟାରେ ବସଷ୍ଟାଣ୍ଡ ନିକଟରେ ଅମିତ ଧଳ ତାଙ୍କ ସାଙ୍ଗମାନଙ୍କ ସହ ବସିଥିବା ବେଳେ ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଗୁଳିମାଡ କରି ଫେରାର ହୋଇଯାଇଥିଲେ । ପୋଲିସ ଖବର ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତ ଅନୁସାରେ ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ଘଟିଥିବା ସନ୍ଦେହ କରୁଛି ପୋଲିସ । ଅନ୍ୟପଟେ ଗତ ୧୦ ତାରଖରେ ମଣ୍ଡଳିଆଠରେ ମଧ୍ୟ ଏକ ଗୁଳିକାଣ୍ଡ ହୋଇଥିଲା । ଏହାର ଅଭିଯୁକ୍ତଙ୍କୁ ପୋଲିସ ଏଯାଏଁ ଧରିପାରି ନଥିବା ବେଳେ ଗତକାଲିର ଏହି ହତ୍ୟାକାଣ୍ଡ ପୋଲିସ ପାଇଁ ଚ୍ୟାଲେଂଜ ସୃଷ୍ଟି କରିଛି ।