ଚଳନ୍ତା କାର ଉପରକୁ ବୋମାମାଡ ! ୨ ଗୁରୁତର, ଏମକେସିଜିରେ ଭର୍ତ୍ତି, ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ସନ୍ଦେହ

34

କନକ ବ୍ୟୁରୋ: ଚଳନ୍ତା କାର ଉପରକୁ ବୋମାମାଡ । ୨ ଜଣଙ୍କ ଅବସ୍ଥା ଗୁରୁତର । ଗଂଜାମ ଜିଲ୍ଲା ବି.ଏନ.ପୁର ଥାନା ଅନ୍ତର୍ଗତ ଢିପସାହିରେ ଘଟିଛି ଏହି ଘଟଣା । ଚଳନ୍ତା କାର ଉପରକୁ ବୋମା ମାଡ କରି ଫେରାର ହୋଇ ଯାଇଛନ୍ତି ଦୁର୍ବୃତ । ଏଥିରେ ୨ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରାଯାଇଛି । ଘଟଣାସ୍ଥଳରୁ ୩ ଅଫୁଟା ବୋମା ଉଦ୍ଧାର କରିଛି ପୋଲିସ । ପୂର୍ବ ଶତ୍ରୁତାକୁ ନେଇ ଏହି ବୋମାମାଡ ହୋଇଥିବା ସନ୍ଦେହ କରାଯାଉଛି । ଘଟଣା ସମ୍ପର୍କରେ ପୋଲିସ ଛାନଭିନ୍ ଜାରି ରଖିଛି ।

ସେପଟେ, ଆଜି ସକାଳୁ ସମ୍ବଲପୁରରେ ଜଣେ ବ୍ୟକ୍ତି ଗୁଳି ଚଳାଇ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଆହତ କରିଛନ୍ତି। ସକାଳ ପ୍ରାୟ ୮ଟା ବେଳେ ୪୨ ବର୍ଷିୟ ଜଣେଶ ଜଗଦଲା ନିକଟସ୍ଥ ଗୋଲବଜାରରୁ ପନିପରିବା ନେଇ ବାଇକ୍ ଯୋଗେ ଫେରୁଥିଲେ। ବାଟରେ ମଣ୍ଟୁ ସୁନା ନାମକ ଜଣେ ଦୁର୍ବୃତ୍ତ ଶ୍ରେଣୀୟ ବ୍ୟକ୍ତିଙ୍କ ସହ ତାଙ୍କର ଭେଟ ହୋଇ ପାଟିତୁଣ୍ଡ ହୋଇଥିଲା। ପାଟିତୁଣ୍ଡର କାରଣ ଗଣେଶଙ୍କ ବିଧବା ଝିଆରୀ। ରେଳବାଇରେ ଚାକିରି କରିଥିବା ସ୍ୱାମୀଙ୍କ ଦେହାନ୍ତ ହେବା ପରେ ବିଧବା ଝିଆରୀ ସେ ଚାକିରି କରୁଛନ୍ତି।

ମଣ୍ଟୁ ତାଙ୍କୁ ବାହା ହେବାକୁ ମନ ବଳାଇ ବାରମ୍ବାର ହଇରାଣ ହରକତ କରି ଆସୁଥିଲା। କିନ୍ତୁ, ଝିଆରୀ କିମ୍ବା ଗଣେଶ ଏ ବିବାହ ପ୍ରସ୍ତାବକୁ ଟାଳି ଦେଉଥିଲେ। ଆଜି ମଣ୍ଟୁ ଗଣେଶଙ୍କୁ ବାହାଘର କଥା କହିବାରୁ ସେ ମନା କରିଦେଇଥିଲେ। ଫଳତଃ, ମଣ୍ଟୁ ପାଖରେ ରଖିଥିବା ପିସ୍ତଲ କାଢ଼ି ତାଙ୍କ ଉପରେ ଗୁଳି ଚଳାଇ ସେଠାରୁ ଖସି ପଳାଇଥିଲା। ବାମ ଜଙ୍ଘରେ ଗୁଳି ଚୋଟ ଲାଗି ଆହତ ହୋଇଥିବା ଗଣେଶଙ୍କୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ସଦର ଡାକ୍ତରଖାନାକୁ ନେଇଛନ୍ତି। ଖବର ପାଇ ଟାଉନ୍ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।