ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବିବାଦରେ ବିହାରୀ କେନ୍ଦ୍ରମନ୍ତ୍ରୀ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ବିବାଦର ମଂଜି ପୋତିଲେ । କଳାପତାକା ଦେଖିଲେ । ନେହେରୁଙ୍କୁ ବିରୋଧ କରି ଦେଇଥିବା ମନ୍ତବ୍ୟକୁ ସହଜରେ ନେଲାନି ଛାତ୍ର କଂଗ୍ରେସ । ବିରୋଧ ପ୍ରଦର୍ଶନ କଲା, କଳା ପତାକା ଦେଖାଇଲା ।

ବିବାଦ ନଂ-୧

ଭାରତରେ ହିନ୍ଦୁଙ୍କ ସଂଖ୍ୟା କମୁଥିବା ବେଳେ ମୁସଲମାନଙ୍କ ସଂଖ୍ୟା ବଢିବାରେ ଲଗିଛି । ଏଥିପାଇଁ ଦେଶର ତ୍ରୁଟିପୂର୍ଣ୍ଣ ଜନ୍ମ ନିୟନ୍ତ୍ରଣ ନୀତି ଦାୟୀ । ଦେଶରେ କଠୋର ଜନ୍ମ ନିୟନ୍ତ୍ରଣ ନୀତି ଲାଗି କରିବା ଉପରେ ଜୋର୍ ଦେଇଛନ୍ତି ମୋଦି କ୍ୟାବିନେଟର ଏହି ବିହାରୀ ନେତା ।

ସବୁ ସଂପ୍ରଦାୟ ପାଇଁ ଏହି ନୀତି ଲାଗୁୁ ହେବା ଆବଶ୍ୟକ ବୋଲି କହିଛନ୍ତି ଗିରିରାଜ୍ । ଭାରତକୁ ଅଖଣ୍ଡ ରଖିବାକୁ ହେଲେ ଏହା ନୀତାନ୍ତ ଜରୁରୀ । ଯିଏ ଖିଲାପ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି । କଟକରେ ବିଜେପି ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଏକତା ଦିବସରେ ଏଭଳି ବକ୍ତବ୍ୟ ଦେଇଛନ୍ତି ଗିରିରାଜ୍ ।

ବିବାଦ ନଂ-୨

ବିଜେପି ନେତା ଆଉ ରାଜନୀତିର କଥା ଉଠିଲେ କଂଗ୍ରେସକୁ ସମାଲୋଚନାରୁ କିଭଳି ବିରତ ରହିବେ । ଭୁବନେଶ୍ୱରରେ କହିଲେ, ଦେଶରେ ଲୋକଙ୍କ ଭିତରେ ଦକ୍ଷତାର ବିକାଶ ହେଉନି ଏଥିପାଇଁ ନେହେରୁଙ୍କର ତ୍ରୁଟିପୁର୍ଣ୍ଣ ନୀତି ଦାୟୀ । ଭାରତରେ ଶିକ୍ଷିତ ବେକାରୀ ବଢିବା ଏହା ପଛର କାରଣ ।

ବାସ୍ ଏହି କଥା ଯୁବ ଓ ଛାତ୍ର କଂଗ୍ରେସକୁ ମୌକା ଦେଇଥିଲା କେନ୍ଦ୍ର ମନ୍ତ୍ରୀଙ୍କୁ ବିରୋଧ କରିବାର । କଳାପତାକା ଦେଖାଇ ବିରୋଧ ପ୍ରଦର୍ଶନ କରିଥିଲେ ।